ଯାଜପୁର:ଆଲୋକର ପର୍ବ ଦୀପାବଳିରେ ଜିଲ୍ଲାରେ ଅଘଟଣ । ଜିଲ୍ଲାର ବ୍ୟାସନଗର ସହରରେ ଦୀପାବଳିରେ ବିଭିନ୍ନ ସ୍ଥାନରେ ଅଘଟଣ ବାଇକ ଦୁର୍ଘଟଣା ଓ ବାଣରେ ପୋଡି ହେଇ 3ଜଣ ଶିଶୁ, ଜଣେ ମହିଳାଙ୍କ ସମେତ ୧୧ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଅଗ୍ନିଶମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରିବା ସତ୍ତ୍ବେ ଅସାବଧାନତା ଯୋଗୁଁ ବାଣରେ ପୋଡ଼ି ହୋଇଛନ୍ତି କିଛି ଜିଲ୍ଲାବାସୀ । ଏହାପରେ ସେମାନଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।
ଦୀପାବଳି ପାଇଁ ଆଜି ସାରା ଦେଶ ଉତ୍ସବମୁଖର । ମାତ୍ର ବ୍ୟାସନଗର ସହରରେ ଦୀପାବଳିରେ ଦେଖିବାକୁ ମିଳିଛି ଅନେକ ଦୁର୍ଘଟଣା । ଆଜି ସନ୍ଧ୍ୟାରେ ପ୍ରଥମେ ବ୍ୟାସନଗର ପୌର ପରିଷଦ ଦଳା ସ୍ଥିତ ଓଭର ବ୍ରିଜ ନିକଟରେ ଏକ ସାହିରେ ଫୁଟାବାଣ ପଡି ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା । ସେହିପରି ଯାଜପୁର ରୋଡ ଥାନା ବସଷ୍ଟାଣ୍ଡ, ରେଳ ଷ୍ଟେସନ ଛକ, ଗୋପବନ୍ଧୁ ଛକ ଓ କହ୍ନେଇପୁର ଛକରେ ବାଇକ ଦୁର୍ଘଟଣା ଘଟିଛି । ଏଥିରେ ୫ରୁ ଊର୍ଦ୍ଧ୍ବ ଯୁବକ ଆହତ ହୋଇଛନ୍ତି । ଏଥିସହିତ ବ୍ୟାସନଗର ଓ କୋରେଇ ଅଞ୍ଚଳରେ ୩ ଜଣ ଶିଶୁ, ଜଣେ ମହିଳା ସମେତ ୫ ଜଣ ଆହତ ହେଇଥିବା ସୂଚନା ମିଳିଛି ।