ଯାଜପୁର: ବାଲି ପରେ ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ ନଦୀପଠାର ମାଟି । ବୈତରଣୀ ନଦୀ ପଠାରୁ ଦୈନିକ ଚାଲାଣ ହେଉଛି ଶହଶହ ଟ୍ରିପ ମାଟି । ଫଳରେ ସମ୍ପୂର୍ଣ୍ଣ କ୍ଷୟ ହେବାକୁ ବସିଲାଣି ନଦୀପଠା । ଫଳରେ ଆଗକୁ ନଦୀରେ ବନ୍ୟାଜଳ ଆସିବାକୁ ଥିବାରୁ ଏହାକୁ ନେଇ ଗାଁଗଣ୍ଡାରେ ପାଣି ପଶିବାର ଆଶଙ୍କା କରିଛନ୍ତି ଗ୍ରାମବାସୀ । ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଳକ ମୂଳାପାଳ ପଞ୍ଚାୟତ ଅଞ୍ଚଳରେ ।
କୋରେଇ ବ୍ଳକର ମୂଳାପାଳ ପଂଚାୟତ ଦେଇଯାଇଥିବା ବୈତରଣୀ ନଦୀର ପଠାରୁ ବେଧଡ଼କ ମାଟି ଚୋରି କରୁଛନ୍ତି ଦୁର୍ବୃତ୍ତ । ଦିନରାତି ମେସିନ ଲଗାଇ ଖୋଳି ନେଉଛନ୍ତି ଶହଶହ ଟ୍ରିପ ମାଟି । ଫଳରେ ନଦୀଗର୍ଭରେ ମିଶିବାକୁ ବସିଲାଣି ନଦୀ ପଠା । ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହେଉଥିବା ବେଳେ ଆଉ କିଛିଦିନ ପରେ ନଦୀରେ ବନ୍ୟା ଆସିବ । ତେବେ ନଦୀପଠା କ୍ଷୟ ହେଉଥିବାରୁ ନଦୀରେ ବନ୍ୟା ଆସିଲେ ସିଧାସଳଖ ବନ୍ଧ ଭାଙ୍ଗିବା ଆଶଙ୍କା ମଧ୍ୟ ରହିଛି । ଯାହାକୁ ନେଇ ଏବେ ଆତଙ୍କିତ ସ୍ଥାନୀୟ ଲୋକ । ଏଥିସହିତ ନଦୀପଠା କ୍ଷୟ ହେଉଥିବା ଯୋଗୁଁ ଗୋରୁ ଛେଳି ଆଦି ଗୃହପାଳିତ ପଶୁଙ୍କ ଚରିବା ଲାଗି ସ୍ଥାନ ରହୁନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ସ୍ଥାନୀୟ ଗ୍ରାମବାସୀ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ତୁରନ୍ତ ନଦୀ ପଠାରୁ ମାଟି ଚୋରି ରୋକାଯିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ଗ୍ରାମବାସୀ ।