ଯାଜପୁର: ଜିଲ୍ଲାରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସକୁ ଯିବାକୁ ମନା । ଯାଜପୁର ସଦର ମହକୁମାର ତହସିଲଦାର କୋରୋନା ପଜିଟିଭ ରୂପେ ଚିହ୍ନଟ ହେବା ପରେ ଗତକାଲି ଠାରୁ ଆସନ୍ତା ଜୁଲାଇ ୮ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଫିସରେ ଲାଗୁ ହୋଇଛି ଏପରି କଟକଣା । ପ୍ରାୟ ସବୁ ଅଫିସରେ ଫାଟକରେ ତାଲା ପଡିଥିବା ବେଳେ କର୍ମଚାରୀଙ୍କ ଦ୍ବାରା ଭିତରେ ଚାଲିଛି ଅଫିସ୍ କାମ । ତେବେ କୌଣସି ଜରୁରୀ କାର୍ଯ୍ୟ ଥିଲେ ସମ୍ପୃକ୍ତ ବ୍ୟକ୍ତି ବିଭାଗୀୟ ଅଧିକାରୀଙ୍କ ସହ ଫୋନ, ଇମେଲ୍ କିମ୍ବା ହ୍ବାଟସଆପ ଯୋଗେ ସମ୍ପର୍କ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ମାତ୍ର କେତେକ ଅଫିସରେ ଆଜି ଭୁଲ କ୍ରମେ ବିଭିନ୍ନ କାମରେ ସରକାରୀ ଅଫିସକୁ ଆସିଥିବା ଲୋକେ ହଇରାଣ ହୋଇଥିବା ଲକ୍ଷ୍ୟ କରାଯାଇଛି ।
ଯାଜପୁର ସଦର ତହସିଲଦାରଙ୍କ ଦେହରେ କୋରୋନା ଭୂତାଣୁ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ଠାରୁ ଜାରି ହୋଇଛି ସ୍ବତନ୍ତ୍ର କଟକଣା । ସାଧାରଣ ଲୋକଙ୍କୁ ଅଫିସ୍ ନ ଆସି ଫୋନ, ଇ-ମେଲ କିମ୍ବା ହ୍ବାଟସଆପରେ ଯୋଗାଯୋଗ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆସନ୍ତା ଜୁଲାଇ 8 ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ଯିବା ଉପରେ ଜାରିହୋଇଛି କଟକଣା । ବିନା କାରଣରେ ଜନସାଧାରଣଙ୍କୁ ଅଫିସ୍ ଆସିବାକୁ ବାରଣ କରାଯାଇଛି । ଫାଟକ ଆଗରେ ଏ ନେଇ ନୋଟିସ୍ ଲଗାଯାଇଥିଲେ ମଧ୍ୟ କିଛି ଲୋକଙ୍କୁ ଏବେ ବି କଟକଣା ସମ୍ପର୍କରେ ଜଣାନାହିଁ । ତେବେ ଅନେକ ଗରିବ ଖଟିଖିଆ ସାଧାରଣ ଲୋକ ଏ ସମ୍ପର୍କରେ ସଚେତନ ନଥିବାରୁ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।