ଆସୁଛନ୍ତି ଗଜାନନ, ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ଵ୍ୟସ୍ତ କାରିଗର ଯାଜପୁର: ଆସୁଛି ପାର୍ବଣର ଋତୁ । ମୂର୍ତ୍ତି ଗଢିବାରେ ଵ୍ୟସ୍ତ କାରିଗର । ଚଳିତ ବର୍ଷ ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ ମୂର୍ତ୍ତି କାରିଗରମାନେ ଲୋକଙ୍କୁ ଆକୃଷ୍ଟ କରିବାକୁ ଭଳିକି ଭଳି ଡିଜାଇନର ମୂର୍ତ୍ତି ନିର୍ମାଣ କରିଥିବା ଦେଖିବାକୁ ମିଳୁଛି । ସାଧାରଣତଃ ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ବିରାଟକାୟ ଗଣେଶଙ୍କ ମୂର୍ତ୍ତି ପୂଜା ପାଇବେ । ଏ ନେଇ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପୂଜା ମଣ୍ଡପ ସଦସ୍ୟ ଓ କାରିଗରମାନେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ।
ବିଶେଷ ଭାବରେ ମଣ୍ଡପର ଚାହିଦା ଅନୁଯାୟୀ ଚଳିତ ବର୍ଷ କାରିଗରମାନେ ବମ୍ବେ, ବାଲାଜୀ, ଶିବ ତାଣ୍ଡବଠାରୁ ଆରମ୍ଭ କରି ବିଭିନ୍ନ ଡିଜାଇନର ମୂର୍ତ୍ତି କାରିଗରମାନେ ନିର୍ମାଣ କରୁଥିବା ଦେଖିବାକୁ ମିଳୁଛି । ଯାଜପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକ ପୌର ପରିଷଦ ଅଞ୍ଚଳର ସ୍କୁଲ, କଲେଜ, କ୍ଳବ ଓ ପୂଜାମଣ୍ଡପରେ ଚଳିତ ବର୍ଷ ପୂଜା ପାଇବେ ବିଘ୍ନରାଜ, ବିଦ୍ୟାଦାତା ପ୍ରଭୁ ଶ୍ରୀଗଣେଶ । ସେଥିପାଇଁ ପ୍ରତେକ ମୂର୍ତ୍ତି କାରିଗର ମୂର୍ତ୍ତି ଗଢିବାରେ ଵ୍ୟସ୍ତ ରହିଛନ୍ତି । ବିଶେଷ ଭାବରେ ବ୍ୟାସନଗର ପୌର ପରିଷଦର ଗଣେଶ ବଜାର ଛକ, ଦଳା ଛକ, ଚୋରଦା ବାଇପାସ ଛକ, ଗୋପବନ୍ଧୁ ଛକ ଅଞ୍ଚଳରେ ଅନେକ କାରିଗର ଛୋଟ ଠାରୁ ଆରମ୍ଭ କରି ବିରାଟକାୟୀ ମୂର୍ତ୍ତି ନିର୍ମାଣ କରୁଥିବା ଦେଖିବାକୁ ମିଳୁଛି ।
ଏହା ବି ପଢନ୍ତୁ- ଆସୁଛନ୍ତି ବିଘ୍ନ ବିନାଶକ: ଉଠିବ ପଡିବ କଟକ, ମେଲୋଡି ଟିମ୍ ବି ପ୍ରସ୍ତୁତ
ଚଳିତ ବର୍ଷ ଗଣେଶ ମୂର୍ତ୍ତିର ଦାମ ୪୦୦ ଟଙ୍କାରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି । ମୁଖ୍ୟତଃ ବ୍ୟାସନଗର ଅଞ୍ଚଳରୁ ଜିଲ୍ଲାର ବିଞ୍ଝାରପୁର, ଧର୍ମଶାଳା, ବରୀ, ବାଲିଚନ୍ଦ୍ରପର, ସୁକିନ୍ଦା ଓ ବଡ଼ଚଣା ଅଞ୍ଚଳକୁ ଏହିଠାରୁ ଛୋଟ ବଡ଼ ମୂର୍ତ୍ତି ସପ୍ଲାଏ ହେଉଥିବାରୁ କାରିଗରମାନେ ଦିନରାତି ଏକ କରିଛନ୍ତି । କିପରି ଆସନ୍ତା ୧୯ ତାରିଖ ଗଣେଶ ପୂଜା ପୂର୍ବରୁ ମୂର୍ତ୍ତି କାର୍ଯ୍ୟ ଶେଷ ହେବ ସେହି କାର୍ଯ୍ୟରେ ଵ୍ୟସ୍ତ ରହିଛନ୍ତି । ଚଳିତ ବର୍ଷ ମୂର୍ତ୍ତିର ଦାମ ଟିକେ ଉଚ୍ଚା ଥିବାରୁ କାରିଗରମାନେ ଦୁଇପଇସା ଅଧିକ ରୋଜଗାର କରିବାର ଆଶା ରଖିଛନ୍ତି ।
ଏହା ବି ପଢନ୍ତୁ- ଆସୁଛନ୍ତି ପାର୍ବତୀ ନନ୍ଦନ, ସ୍ବାଗତ ପାଇଁ ସଜ୍ଜିତ ହେଉଛି ଷ୍ଟିଲ ସିଟି
ଅନ୍ୟପଟେ ପୂଜା ମଣ୍ଡପର ସଦସ୍ୟମାନେ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । କିଭଳି ମଣ୍ଡପକୁ ସୁନ୍ଦର ଭାବେ ସାଜସଜ୍ଜା କରିବେ ସେ ନେଇ କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅନେକ କମିଟି ପୂଜା ଥିବା ବେଳେ କିଭଳି ନିଜ ମଣ୍ଡପ ଆଡକୁ ଲୋକେ ଅଧିକ ଆକୃଷ୍ଟ ହେବେ ସେ ନେଇ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଛି । କିଛି ପୂଜା ମଣ୍ଡପ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରିଥିବା କହିଛନ୍ତି । ଚଳିତ ବର୍ଷ ବ୍ୟାସନଗର ପୌର ପରିଷଦର ୨୦ଟି ପୂଜା ମଣ୍ଡପରେ ଗଣେଶ ପୂଜା ଅନୁଷ୍ଠିତ ହେଉଥିବାରୁ ପୋଲିସ ପକ୍ଷରୁ ସୁରକ୍ଷା ପାଇଁ ବ୍ୟାପକ ବନ୍ଦବୋସ୍ତ କରାଯାଇଛି ।
ଇଟିଭି ଭାରତ, ଯାଜପୁର