ଯାଜପୁର: ଜନ୍ମ ଯଦିଓ ଗୁଜୁରାଟରେ ହେଲେ ପରିବାର ତାଙ୍କର ପୂରା ଭାରତବର୍ଷ । ଏହି ଧାରାରେ ଓଡିଶା ବି ବାଦ ପଡିନି । ସ୍ବାଧିନତା ସଂଗ୍ରାମ ସମୟରେ ଓଡିଶା ମାଟିରେ ବାପୁ ଛାଡିଯାଇଛନ୍ତି ବହୁ ସୁମଧୁର ସ୍ମୃତି । ଦୁଃଖୀଙ୍କ ଦରଦୀ ବନ୍ଧୁ ବାପୁ ଦଳିତଙ୍କ ଦୁଃଖହର୍ତ୍ତା ଭାବେ ପରିଚିତ । ବର୍ଣ୍ଣ ବୈଷମ୍ୟ, ଛୁଆଁ ଅଛୁଆଁ ଭେଦଭାବ ଦୂର ପ୍ରତିଜ୍ଞା ନେଇ ସେ ୧୯୩୪ ମେ ୨୧ରେ ଯାଜପୁରର ବରୀ ରେଳ ଷ୍ଟେସନରେ ପହଞ୍ଚିଥିଲେ । ବହୁ ବାଧାବିଘ୍ନ ସତ୍ତ୍ବେ ବାପୁ ସେଠାରୁ ଚମ୍ପାପୁର ହାଟ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଆଉ ଏହି ଐତିହାସିକ ଯାତ୍ରା ଆଜି ବି ସ୍ମରଣୀୟ । କିନ୍ତୁ ଦୁଃଖ ଯେ, ସେହି ଦୁଃଖହର୍ତ୍ତାଙ୍କ ପଦଯାତ୍ରା ସ୍ମତିକୁ ସମ୍ଭାଳି ରଖିବାକୁ ସକ୍ଷମ ନୁହେଁ ପ୍ରଶାସନ ।
ଯେଉଁ ମନ୍ଦିରରେ ହରିଜନଙ୍କ ଦର୍ଶନ କରିବା ଅଧିକାର ନାହିଁ, ସେଠାରେ ମୂର୍ତ୍ତି ଥିଲେ ବି ଭଗବାନ ପ୍ରତିଷ୍ଠା ହୋଇନାହିଁ । ପତିତପାବନ ଗୋଟିଏ ଲୋକର କି ଗୋଟିଏ ଜାତିର ନୁହେଁ । ଏଭଳି ଆହ୍ବାନ ଦେଇ ଏଠାରେ ସମାନତା ପାଠର ଅ- ଆ ଶିଖାଇଥିଲେ ବାପୁ । ଏଥିରେ ଅନୁପ୍ରଣୀତ ହୋଇ ବାପୁଙ୍କ ପଟ୍ଟଶିଷ୍ୟ ଗୋବିନ୍ଦ ମିଶ୍ର ଚମ୍ପାପୁରରେ ଏକ ସେବାଶ୍ରମ କରିଥିଲେ । ଏଠାରେ ରାତ୍ରିଯାପନ କରି ବାପୁ ସ୍ବାଧିନତା ସଂଗ୍ରାମର ବହ୍ନି ତେଜିଥିଲେ । ଏହି ସମୟରେ ବାପୁ ବ୍ୟବହାର କରିଥିବା ପ୍ରତିଟି ଉପକରଣ ଆଜି ବି ସାଇତା ହୋଇ ରହିଛି । ବରୀ-ଛତିଆ-ଚମ୍ପାପୁର ରାସ୍ତାକୁ ରାଜ୍ୟ ସରକାର ଗାନ୍ଧୀ ସ୍ମାରକୀ ମାର୍ଗ ଭାବେ ଘୋଷଣା କରିଛନ୍ତି ।