ଯାଜପୁର:ଆସୁଛି ସ୍ୱାଧୀନତା ଦିବସ । ଦେଶର ସ୍ୱାଧିନତା ଆନ୍ଦୋଳନରେ ଯାଜପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜିଲ୍ଲାର ଅନେକ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ନିଜର ପ୍ରାଣବଳି ଦେଇଛନ୍ତି । ସେହି ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ତାଉଁତରା ଗାଁର କପିଳ ଚରଣ ଜେନା ଥିଲେ ଅନ୍ୟତମ । ଯିଏ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ୧୯୨୧ ମସିହାରେ ଜନ୍ମ ହୋଇଥିବା ସଂଗ୍ରାମୀ ଜଣକ ୨୦୧୩ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।
କପିଳଙ୍କ ଜନ୍ମ ବରୀ ଅଞ୍ଚଳରେ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ନିଜ ମାମୁଁ ଘରକୁ ପୁଅ ହୋଇ ଆସିଥିଲେ । ସେ ୨୦୧୩ ମସିହାରେ ୯୩ ବର୍ଷ ବୟସରରେ ମୃତ୍ୟୁବରଣ କରିଥିଲେ । କିନ୍ତୁ ଇତିମଧ୍ୟରେ ତାଙ୍କ ମୃତ୍ୟୁକୁ ୯ ବର୍ଷ ବିତିଲାଣି । କିନ୍ତୁ ତାଙ୍କ ତ୍ୟାଗ ଓ ସଂଘର୍ଷକୁ ମନେ ରଖିବା ପାଇଁ ପ୍ରଶାସନ କି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ନିଜ ଅଞ୍ଚଳରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇନାହିଁ ।
କପିଳଙ୍କୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ସରକାର ମାନ୍ୟତା ଦେଇଥିଲେ । କିନ୍ତୁ ଯେଉଁ ଭଳି ସେ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିଲେ ସେହି ସଂଗ୍ରାମର ଇତିହାସ ବିଷୟରେ ପରପିଢ଼ି ଜାଣିବାର ଆବଶ୍ୟକତା ରହିଛି । ସେହି ଇତିହାସ ସମ୍ପର୍କରେ ପରପିଢ଼ି ଜାଣିଲେ ଦେଶ ମାତୃକା ପ୍ରତି ଭକ୍ତିଭାବ ଜାଗ୍ରତ ହେବ ବୋଲି କହିଛନ୍ତି ସ୍ବାଧୀନତା ସଂଗ୍ରାମୀ କପିଳଙ୍କ ସମ୍ପର୍କୀୟ । ତେଣୁ ସେହି ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ରକ୍ଷା ପାଇଁ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଦାବି ହୋଇଛି ।