ଯାଜପୁର:ଜିଲ୍ଲାକୁ ପ୍ରଥମ ବନ୍ୟାଜଳ ଛୁଇଁଥିବାବେଳେ ଏବେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ । କୋରେଇ, ଦଶରଥପୁର, ଯାଜପୁର ସଦର ଓ ବିଞ୍ଝାରପୁର ଆଦି 4ଟି ବ୍ଲକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ଆଜି ସଦର ବ୍ଲକ ସିମୁଳିଆ ପଞ୍ଚାୟତର ବୁଢାଘାଟ ନିକଟରେ ବନ୍ୟାଜଳରେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାସହ 50ରୁ ଉର୍ଦ୍ଧ୍ବ ଗାଁ ପାଣି ଘେରରେ ଥିବାବେଳେ ରାସ୍ତାଘାଟରେ ଚାଲୁଛି ବନ୍ୟାର ସୁଅ । ବନ୍ୟା ପ୍ରଭାବିତ ଅଞ୍ଚଳରେ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇରହିଥିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି ।
ବିପନ୍ନ ପରିବାର ସରକାରୀ ସହାୟତା ଲୋଡୁଥିବାବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ସେପଟେ ଅନେକ ବନ୍ୟା ବିପନ୍ନଙ୍କ ପାଖରେ ପ୍ରଶାସନ ପହଞ୍ଚି ନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭଦ୍ରକର ଆଖୁଆପଦା ଏବଂ ଯାଜପୁର ଜିଲ୍ଲାର ବଲ୍ଳଭୀଘାଟ ଓ ଦଶରଥପୁରଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ଫଳରେ ତଳିଆ ଅଞ୍ଚଳର 50ରୁ ଉର୍ଦ୍ଧ୍ବ ଗାଁରେ ବନ୍ୟାଜଳ ପ୍ରବେଶ କରିଛି । ଜିଲ୍ଲାର 4ଟି ବ୍ଳକରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ସେହିଭଳି ବୈତରଣୀରେ ବନ୍ୟା ଯୋଗୁଁ ଯାଜପୁର-ଭଦ୍ରକ ଛତାବର ଯୋଗାଯୋଗ ବିଛିନ୍ନ ହୋଇଛି। ରାସ୍ତା ଉପରେ ୮ଫୁଟର ପାଣି ଚାଲୁଥିବାବେଳେ ରାଜସ୍ୱ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ବିଭିନ୍ନ ସ୍ଥାନକୁ ଗସ୍ତ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦଶରଥପୁର ବ୍ଳକର କସପା, ମଲ୍ଲିକାପୁର, ଦତ୍ତପୁର, ନିଜାମପୁର, ଦୁଦୁରାଅଣ୍ଟା, କୟାଁ ପ୍ରଭୃତି ପଞ୍ଚାୟତର ଅନେକ ଗାଁ ଏବେ ବି ପାଣି ଘେରରେ ରହିଛି । ସେହିପରି କୋରେଇ ବ୍ଲକର ମୁକୁନ୍ଦପୁର, ବନ୍ଦାଳ, ଗୌରପୁର, ରଣପୁର, ଅସନଝର, ଓ ଅମୃତିଆ ପଞ୍ଚାୟତର କେତେକ ଗାଁ ପାଣି ଘେରରେ ରହିଛି । ଯାଜପୁର ସଦର ବ୍ଳକର ପଣସା ଭଣ୍ଡାରିପୋଖରୀ ରାସ୍ତା ଉପରେ 5 ଫୁଟର ପାଣି ଚାଲୁଥିବାବେଳେ ବହୁ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ରହିଛି । ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଏହା ବି ପଢନ୍ତୁ...ବ୍ରାହ୍ମଣୀ ନଦୀରେ ବଢୁଛି ଜଳସ୍ତର, ଭୟରେ ରାଉରକେଲାର ତଳିଆ ଅଞ୍ଚଳବାସୀ