ଯାଜପୁର: ଆଜି ହେଉଛି ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ 107ତମ ଜନ୍ମ ଦିବସ । ଏହି ଅବସରରେ ସାରା ରାଜ୍ୟରେ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ପାଳନ କରାଯାଉଛି । ସେହିପରି ଯାଜପୁର ଜିଲ୍ଲା ବ୍ୟାସନଗର ଧବଳଗିରି ସ୍ଥିତ ବାସଭବନରେ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ନିଜ ଅନୁଭୂତି ବଖାଣିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ।
ତେବେ ଆଜି ବିଜୁ ଜୟନ୍ତୀ ଅବସରରେ ଯାଜପୁର ଜିଲ୍ଲାର 10ଟି ବ୍ଲକ ଓ ଦୁଇଟି ପୌର ପରିଷଦରେ ସାଇକେଲ ରାଲିଠାରୁ ଆରମ୍ଭ କରି ବକ୍ତୃତା ପ୍ରତିଯୋଗିତା ହେଉଛି । ଯାଜପୁର ଜିଲ୍ଲାର ବିକାଶ ପାଇଁ ସ୍ବର୍ଗତ ବିଜୁ ପଟ୍ଟନାୟକ ଅନେକ କାର୍ଯ୍ୟ କରିଛନ୍ତି । ଏନେଇ ଆଜି ବ୍ୟାସନଗର ଧବଳଗିରି ସ୍ଥିତ ନିଜ ବାସଭବନରେ ବିଜୁ ବାବୁଙ୍କୁ ନେଇ ନିଜ ଅନୁଭୂତି ବଖାଣିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ । ବିଜୁ ପଟ୍ଟନାୟକ ଦିନେ କଳିଙ୍ଗନଗର ଅଞ୍ଚଳରେ ଅନେକ କଳକାରଖାନା ଖୋଲିବା ପାଇଁ ସ୍ୱପ୍ନ ଦେଖୁଥିଲେ । ସେଥିପାଇଁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ବିଧାୟକ ଥିଲା ବେଳେ ସ୍ୱରାଜ ପାଲଙ୍କୁ ପ୍ରଥମେ ଯଖପୁରା ନିକଟକୁ ଡାକି ଏକ କଦମ୍ବ ଗଛ ଲଗେଇ କଳିଙ୍ଗନଗର ଅଞ୍ଚଳରେ କାରଖାନା ସ୍ଥାପନ କରିବା ପାଇଁ ଭିତ୍ତି ଭୂମି ଆରମ୍ଭ କରିଥିଲେ ।