ଯାଜପୁର: ବଦଳୁଛି ନଗଡ଼ା ଚିତ୍ର । ଅପପୃଷ୍ଟିକୁ ନେଇ ସାରା ଦେଶରେ ଚର୍ଚ୍ଚାକୁ ଆସିଥିବା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡ଼ାରେ ଏବେ ବିକାଶ ଛୁଇଁଛି । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଜରିଆରେ ଏଠାକାର ଆଦିବାସୀ ମହିଳାମାନେ ଫୁଡ୍ ଫେଷ୍ଟିଭାଲର ଆୟୋଜନ କରିଛନ୍ତି । ସ୍ଥାନୀୟ ଜୁଆଙ୍ଗ ଆଦିବାସୀଙ୍କୁ ପୁଷ୍ଟି ଖାଦ୍ୟ ମହୋତ୍ସବ ଆୟୋଜିତ ହୋଇଛି । ଯେଉଁଠି ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟରୁ ପ୍ରସ୍ତୁତ ହୋଇଛି ବିଭିନ୍ନ ପ୍ରକାର ବ୍ୟଞ୍ଜନ । ତା ସହିତ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି ଓ ଚାଷ ପାଇଁ ତାଲିମ ମଧ୍ୟ ଦିଆଯାଉଛି । ସ୍ଥାନୀୟ ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀ ଓ ୨ଟି ଏନଜିଓ ସଂସ୍ଥା ମିଳିତ ସହଯୋଗରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି l ଏଭଳି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ନଗଡ଼ାରେ ହୋଇଥିବାରୁ ନଗଡ଼ାବାସୀ ବେଶ୍ ଉତ୍ସାହିତ ଅଛନ୍ତି ।
ଦିନେ ଅପପୁଷ୍ଟିର ଇଲାକା ଭାବେ ସାରା ଦେଶରେ ଚର୍ଚ୍ଚିତ ଥିଲା ନଗଡା l ଫଳରେ ଏଠାରେ ଅନେକ ଶିଶୁ ମୃତ୍ୟୁ ମୁଖରେ ପଡ଼ିଥିଲେ l ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ହେବା ପରେ ରାଜ୍ୟଠାରୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିଲା l ସେବେଠାରୁ ଏହି ଅଞ୍ଚଳରେ ବିକାଶ ପାଇଁ ଅନେକ ସଂସ୍ଥା ପକ୍ଷରୁ କାର୍ଯ୍ୟକ୍ରମ ଚାଲିଛି l ଏହି ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ ନଗଡ଼ା ଅଞ୍ଚଳରେ ମିଶନ ଶକ୍ତି ଜରିଆରେ ସ୍ଥାନୀୟ ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀ ଓ ୨ଟି ଏନଜିଓ ସଂସ୍ଥା ଯଥା "ଟ୍ରାକେଲ-ଅପ୍ ଇଣ୍ଡିଆ" ଏବଂ "ନିର୍ମାଣ" ମିଳିତ ଭାବେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଆଦିବାସୀ ମହିଳମାନେ ଜଙ୍ଗଲ ଜାତ ଦ୍ରବ୍ଯ ଓ ନିଜ ବାଡି ବଗିଚାରେ ଚାଷ କରିଥିବା ପନିପରିବାରୁ ୨୦୦ ପ୍ରକାରର ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶିତ କରିଛନ୍ତି । ଏହାଛଡା ଏହି ମହୋତ୍ସବରେ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି ଓ ଚାଷ ପାଇଁ ଉକ୍ତ ସଂସ୍ଥା ପକ୍ଷରୁ ତାଲିମ ଦିଆଯାଇଛି । ନଗଡ଼ାର ସମସ୍ତ ଅଧିବାସୀ କିପରି ସୁସ୍ଥ ରହିବେ, ନିଜ ହାତ ପାହାନ୍ତାରେ ମିଳୁଥିବା ଦ୍ରବ୍ୟରୁ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିପାରିବେ ସେନେଇ ସଚେତନ କରାଇବା ଓ ତାଲିମ ଦେବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଆୟୋଜକ କହିଛନ୍ତି ।