ଯାଜପୁର: ବନ୍ୟା ଉଜାଡିଦେଲା ଚାଷୀଙ୍କ ଭାତହାଣ୍ଡି । ଏପଟେ ବନ୍ୟା ସାଙ୍ଗକୁ ଦାଉ ସାଜିଲା ବିଷାକ୍ତ ତେଲ। ଚଳିତ ବର୍ଷ ଯାଜପୁର ଜିଲ୍ଲାରେ ଆସିଥିବା ମହାବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ କୂଳ । ବନ୍ୟା ଜଳ ସହିତ ବିଷାକ୍ତ ତେଲ ମିଶି ନଷ୍ଟ କରି ଦେଇଛି ହେକ୍ଟର ହେକ୍ଟର ଚାଷ ଜମି । ଧାନ ଠାରୁ ଆରମ୍ଭ କରି ପନିପରିବା ଚାଷ ସଂପୂର୍ଣ୍ଣ ଉଜୁଡିଯାଇଛି । ବର୍ଷକର ପରିଶ୍ରମର ଫଳକୁ ଚାହିଁ ବସିଥିବା ଯାଜପୁର ବ୍ଲକ ଛତିଶ ଦେବିଲ ଏବଂ ଋଷିପୁର ଅଞ୍ଚଳ ଚାଷି ଏବେ ମୁଣ୍ଡରେ ହାତ ଦେଇ ବସିରହିଛନ୍ତି ।
ଗାଁ ମୁଣ୍ଡରେ ହେଉଥିବା ନିର୍ମାଣଧୀନ ମେଗା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ରହିଥିବା ତେଲ ବ୍ୟାରେଲ ବନ୍ୟା ଜଳରେ ଭାସି ଆସି ସମଗ୍ର ଅଞ୍ଚଳରେ ବ୍ୟାପିଯାଇଥିଲା । ଯାହା ସମସ୍ତ ଫସଲକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଛି । ମେଗା ପ୍ରକଳ୍ପ ପାଇଁ କାମ ନେଇଥିବା ଠିକା କମ୍ପାନିର ଖାମଖିଆଲି ମନୋଭାବ ପାଇଁ ପରିଣାମ ଭୋଗିଲେ ଗ୍ରାମବାସୀ । ଏଥିପାଇଁ ଗ୍ରାମବାସୀ ତୁରନ୍ତ କ୍ଷତିପୁରଣ ଦାବୀ କରିଛନ୍ତି ।