ଯାଜପୁର: ଗତ ସପ୍ତାହେ ବ୍ୟାପି ଯାଜପୁରରେ ଲାଗିରହିଛି ବନ୍ୟା ସ୍ଥିତି । ବ୍ରାହ୍ମଣୀ, ବୈତରଣୀ ଏବଂ ଖରସ୍ରୋତା ନଦୀରେ ହ୍ରାସ ପାଇବା ପରେ ଜିଲ୍ଲାରେ ଧିରେ ଧିରେ ସୁଧୁରୁଛି ବନ୍ୟା ପରିସ୍ଥିତି । ହେଲେ ଏବେ ବି ବରୀ ଓ ବଡଚଣା ବ୍ଲକର ତଳିଆ ଅଞ୍ଚଳରେ ଅନେକ ଗୁଡିଏ ଗାଁ ପାଣିଘେରରେ ରହିଛି । ଦଶରଥପୁର, ବିଞ୍ଛାରପୁର, ରସୁଲପୁର ଓ କୋରାଇ ଅଞ୍ଚଳରେ ବନ୍ୟା ଛାଡିଥିଲେ ମଧ୍ୟ ବଢିଛି ଲୋକଙ୍କ ଦୁର୍ଦ୍ଦଶା । ଏସବୁ ଅଞ୍ଚଳରେ ବିପନ୍ନ ମାନେ ଆଶ୍ରୟ ସ୍ଥଳୀରୁ ଫେରିବା ପରେ ଘର ସଜାଡିବାରେ ଲାଗି ପଡିଛନ୍ତି । ସେପଟେ ପ୍ରଶାସନ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାଣି ଛାଡିଥିବା ଅଞ୍ଚଳକୁ ଗାଡି ଯୋଗେ ବୁହାଚାଲିଛି ରିଲିଫ୍ । ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରୁଛନ୍ତି । ଜିଲ୍ଲାପାଳ ନିଜେ ବୋଟ୍ ଯୋଗେ ବନ୍ୟାଞ୍ଚଳକୁ ଯାଇ ଲୋକଙ୍କ ଭଲମନ୍ଦ ବୁଝୁଛନ୍ତି ।
ଯାଜପୁରର ବରୀ ଓ ବଡଚଣା ବ୍ଲକରେ ଏବେ ବି ଅନେକ ତଳିଆ ଅଞ୍ଚଳର ଗାଁ ପାଣିଘେରରେ ରହିଛନ୍ତି । ବ୍ରାହ୍ମଣୀ, ବୈତରଣୀ ଏବଂ ଖରସ୍ରୋତା ନଦୀରେ ହ୍ରାସ ପାଇବା ପରେ ଦଶରଥପୁର, ବିଞ୍ଛାରପୁର, ରସୁଲପୁର ଓ କୋରାଇ ଅଞ୍ଚଳରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି । ତେବେ ବନ୍ୟାଞ୍ଚଳର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଅନେକ ଲୋକ ଏବେ ବି ପାଣିଘେରରେ ରହିଛନ୍ତି ।ବନ୍ୟାରେ ଜିଲ୍ଲାର 10ଟି ବ୍ଲକର ପ୍ରାୟ 10ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି । କିଛି ଲୋକ ପାଣି ଛାଡିବା ପରେ ଘରକୁ ଫେରି ନିଜ ଘର ସଜାଡିବାରେ ଲାଗିପଡିଛନ୍ତି । ଚଳିତ ବନ୍ୟାରେ ଅନେକ ଫସଲ ଓ ପନିପରିବା ନଷ୍ଟ ହୋଇଯାଇଛି । ଅନେକ ବିପନ୍ନ ପରିବାର ବାସହରା ହୋଇଛନ୍ତି । ପାଣିଘେରରେ ଥିବା ବିପନ୍ନ ଲୋକଙ୍କୁ ତୁରନ୍ତ ରିଲିଫ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ଅଞ୍ଚଳର ଲୋକେ ଦାବି ଜଣାଇଛନ୍ତି ।