ଯାଜପୁର : ବନ୍ୟା ପ୍ରଭାବିତଙ୍କ ପାଇଁ ଆସିଥିବା ରିଲିଫ ଖାଦ୍ୟ ସାମଗ୍ରୀ ବଣ୍ଟନ ହୋଇ ନପାରି ପୋଖରିରେ ପୋତା ଯାଇଥିବାର ଅଭିଯୋଗ ହୋଇଛି । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁରର ଜିଲ୍ଲା ବରୀ ବ୍ଲକରେ ।ଗତ ମହାବନ୍ୟାରେ ବରୀ ବ୍ଲକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ସମଗ୍ର ଜିଲ୍ଲାରେ ବରୀ ଅଞ୍ଚଳର ଲୋକମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବାବେଳେ ସେମାନଙ୍କ ପାଇଁଁ ଆସିଥିଲା ରିଲିଫ ଖାଦ୍ୟ ସାମଗ୍ରୀ । ଉକ୍ତ ଖାଦ୍ୟ ସାମଗ୍ରୀ ମଧ୍ୟରେ ଚୁଡ଼ା , ଗୁଡ଼ ,ଶୁଖିଲା ଖାଦ୍ୟ ବାଣ୍ଟିବା ପାଇଁ ଆସିଥିଲା । କିନ୍ତୁ ଶୁଖିଲା ଖାଦ୍ୟ ବଣ୍ଟନ ଦାୟିତ୍ଵରେ ଥିବା ଅଧିକାରୀଙ୍କ ଅପାରଗତା ଯୋଗୁ ଏହା ବନ୍ୟା ପ୍ରଭାବିତଙ୍କୁ ବଣ୍ଟନ କରାନଯାଇ ଗଚ୍ଛିତ ରଖାଯାଇଥିଲା। ବନ୍ୟା ଛାଡ଼ିବାର ୭ ରୁ ୮ ମାସ ପରେ ଆଜି ତାହା ବରୀ ବ୍ଲକ କାର୍ଯ୍ୟାଳର ପଛ ପାଖରେ ଥିବା ପୋଖରୀରେ ଫିଙ୍ଗା ଯାଉଥିବା ଦେଖିବାକୁ ମିଳିଛି ।
ଆଜି ସରକାରି ଛୁଟି ଦିବସ ଥିବାବେଳେ କାହା ନିର୍ଦ୍ଦେଶରେ ଗଚ୍ଛିତ ଥିବା ଖାଦ୍ୟ ସାମଗ୍ରୀକୁ ଫିଙ୍ଗା ଗଲା ତାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବନ୍ୟା ସମୟରେ ବହୁ ଗରିବ ଲୋକ ଭୋକ ଉପାସରେ ଅନ୍ୟ କାହା ଛାତ ଉପରେ ନଦୀ ବନ୍ଧ ଉପରେ ମାସ ମାସ ଧରି ଦିନ କାଟୁଥିବାବେଳେ ଉକ୍ତ ଖାଦ୍ୟ ସାମଗ୍ରୀକୁ କାହା ନିର୍ଦ୍ଦେଶରେ ଓ କାହିଁକି ଗଚ୍ଛିତ ରଖାଗଲା ତାହା ତଦନ୍ତ ସାପେକ୍ଷ ବୋଲି ମଧ୍ୟ ଦାବି ଉଠିବା ସହ ଅସନ୍ତୋଷ ବଢିବାରେ ଲାଗିଛି ।