ଯାଜପୁର: ଜିଲ୍ଲାରେ 4ର୍ଥ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଦୀର୍ଘ 5ବର୍ଷ ପରେ ବିଜୁ ଜନତା ଦଳକୁ ଫେରିବା ପରେ ଏବେ ଚଳଚଞ୍ଚଳ ସୁକିନ୍ଦା ରାଜନୀତି। ପାଖାପାଖି 3 ଦଶନ୍ଧି ହେଲା ପ୍ରଫୁଲ୍ଲ ଓ ପୁଅ ପ୍ରୀତିରଞ୍ଜନଙ୍କ କବଜାରେ ରହିଆସିଛି ସୁକିନ୍ଦା ବିଧାନସଭା ଆସନ।
ଦୀର୍ଘ 5 ବର୍ଷର ବ୍ୟବଧାନ ପରେ ବିଜେଡିକୁ ଫେରିଛନ୍ତିଭେଟରାନ ପ୍ରଫୁଲ୍ଲ ଘଡ଼େଇ। ଦଳକୁ ପ୍ରତ୍ୟାବର୍ତ୍ତନ ପରେ ଉତ୍ସାହିତ ସୁକିନ୍ଦାବାସୀ । କାରଣ 1990 ମସିହାରୁ ସୁକିନ୍ଦାକୁ ନିଜ କବଜାରେ ରଖିଆସିଛନ୍ତି ପ୍ରଫୁଲ୍ଲ। 1990ରୁ2014 ମସିହା ପର୍ଯ୍ୟନ୍ତ ଲଗାତର 5ଥର ବିଧାୟକ ହୋଇଥିବା ବେଳେ 2014ରେ ତାଙ୍କ ପୁଅ ପ୍ରୀତିରଞ୍ଜନ ଏହି ଆସନରୁ ପ୍ରତିନିଧିତ୍ଵ କରୁଛନ୍ତି।
ପ୍ରଫୁଲ୍ଲ ଦଳରେ ସାମିଲ ହେବା ପରେ ଆଗାମୀ ନିର୍ବାଚନ ଦଳ ପାଇଁ ସହଜ ବୋଲି କୁହାଯାଉଛି। ବିଶେଷ କରି ବୟସ୍କ ବିଜେଡି ନେତୃବର୍ଗ ଏଥିରେ ଖୁସିବ୍ୟକ୍ତ କରିଥିବା ବେଳେ ପ୍ରଫୁଲ୍ଲ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି।ଗତ ସାଧାରଣ ନିର୍ବାଚନରେ ସୁକିନ୍ଦାରେ ପ୍ରଥମ ଥର ବିଜେଡି ପ୍ରାର୍ଥୀ ହୋଇଥିଲେ ପ୍ରଫୁଲ୍ଲ ଘଡେଇଙ୍କ ପୁଅ ପ୍ରୀତିରଞ୍ଜନ ଘଡେଇ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀକଂଗ୍ରେସର ଟାଣୁଆ ନେତା ଶରତ ରାଉତଙ୍କୁ ପରାସ୍ତ କରିଥିଲେ ।