ଯାଜପୁର: ପ୍ରଥମେ ଦାଉ ସାଧିଲା ଲକଡାଉନ । ଅମଳରେ ଦେଖାଦେଲା ସମସ୍ୟା । ତାପରେ ହଇରାଣ କଲା କାଳବୈଶାଖୀ । ଆଉ ଏବେ ଘାରିଛି ଅମ୍ଫାନ ଡର । ସମ୍ଭାବ୍ୟ ବାତ୍ୟା ନେଇ ଚିନ୍ତାରେ ଚାଷୀକୂଳ ।
ଚଳିତ ବର୍ଷ ଯାଜପୁର ଜିଲ୍ଲାର କୋରେଇ, ରସୁଲପୁର, ଦଶରଥପୁର, ବରୀ, ବିଞ୍ଝାରପୁର, ଯାଜପୁର, ବଡଚଣା ଓ ଧର୍ମଶାଳା ଆଦି ବ୍ଳକ ଅଞ୍ଚଳରେ ରବି ଧାନ ଚାଷ କରାଯାଇଥିଲା । ହେଲେ ଅମଳ ପରେ ଖଳାରେ ପଡିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ । ଏଯାଏଁ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିନାହାନ୍ତି ସରକାର । ପୂର୍ବରୁ 32ଟି ପ୍ୟାକ୍ସ(ପ୍ରାଥମିକ କୃଷି ସେବା ସମବାୟ ସମିତି) ଦ୍ବାରା ସଂଗ୍ରହ କରିବାକୁ ସ୍ଥିର କରିଥିଲା ପ୍ରଶାସନ । ଏଥିପାଇଁ ପଞ୍ଜିକୃତ କରିଥିଲେ 5 ହଜାର 5 ଚାଷୀ । ଚଳିତବର୍ଷ ୧୦ ହଜାର ୨୦୦ କ୍ବିଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । କିନ୍ତୁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଆରମ୍ଭ ହୋଇନଥିଲା କାର୍ଯ୍ୟ । ଏବେ ବେଡି ଉପରେ କୋରଡା ମାଡ କରିଛି ବାତ୍ୟା । ଏହା ମାଡି ଆସିଲେ ଉଜୁଡି ଯିବ ଚାଷୀର ଭାତହାଣ୍ଡି । ପାଣିରେ ପଡିବ ବର୍ଷକର ପରିଶ୍ରମ । ସମିତି ସଂଗ୍ରହ ନକଲେ ବାତ୍ୟାରେ ନଷ୍ଟ ହେବ ଧାନ । ଯାହାକୁ ନେଇ ଭୟଭୀତ ଯାଜପୁର ଜିଲ୍ଲା ବିଭିନ୍ନ ବ୍ଲକର ଚାଷୀ ।