ଯାଜପୁର: ସାମୁଦ୍ରିକ ଝଡ ଫନି ବିଭୀଷିକାରୁ ବର୍ତ୍ତିନି ଯାଜପୁର ଜିଲ୍ଲା । ରାକ୍ଷସ ରୂପି ଏହି ପ୍ରଳୟଙ୍କାରୀ ବାତ୍ୟା ଭାଙ୍ଗି ଦେଇଛି ଆଖୁ ଚାଷୀଙ୍କ ମେରୁଦଣ୍ଡ । ଜିଲ୍ଲାର ବଡ଼ଚଣା ବ୍ଲକ ଅଧୀନରେ ଥିବା ସାଉଡ଼ିଆ, ବରପଦ, ନିଆଳି, ବାଲିକୁଦା ଆଉ ରସୁଲପୁର ବ୍ଲକର କୃଷ୍ଟପଡା, ନରସିଂହପୁର, କୋରାସେ, ବେତଣ୍ଡା ଆଉ ବିଲିପଡା ଆଦି ଅଞ୍ଚଳରେ ଆଖୁଚାଷ ବ୍ୟାପକ ଭାବେ ନଷ୍ଟ ହୋଇଛି । ଚାଷୀମାନେ ଋଣ ଏବଂ ହାତଉଧାରୀ କରି ଫସଲ କରିଥିଲେ । ତେବେ ବାତ୍ୟା ଫନି ମାତ୍ର କେଇ ଘଣ୍ଟାର ଖଣ୍ଡ ପ୍ରଳୟରେ ଆଖି ସାମନାରେ ଉଜୁଡିଦେଇଛି ସବୁ ଫସଲ । ଏବେ ଆଖୁ କିଆରିରେ ମାଟିରେ ଲୋଟିଥିବା ଅୟୁତ ସମ୍ଭାବନାକୁ ଦେଖି ମୁଣ୍ଡରେ ହାତ ଦେବା ଛାଡ ଅନ୍ୟ କିଛି ଉପାୟ ନଥିବା କହିଛନ୍ତି ଚାଷୀ ।
ଅନ୍ୟପଟେ ବାତ୍ୟା ଯିବାର 6 ଦିନ ବିତିଯାଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଚାଷୀଙ୍କ ସମସ୍ୟା ବୁଝିନଥିବା ଅଭିଯୋଗ କରିଛନ୍ତି ଚାଷୀ । ସେପଟେ ବିଭାଗ ଅଧିକାରୀ ଏନେଇ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଛନ୍ତି।