ଯାଜପୁର: ଗତ ବନ୍ୟାରେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବିଶେଷ କରି ଚାଷୀ ମାନଙ୍କର ସବୁକିଛି ଉଜୁଡିଯାଇଛି । ଧାନ ଚାଷ ଠାରୁ ଆରମ୍ଭ କରି ପନିପରିବା ଚାଷ ପର୍ଯ୍ୟନ୍ତ ସବୁକିଛି ଛାରଖାର କରିଦେଇଛି ପ୍ରଳୟଙ୍କରୀ ବନ୍ୟା । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଚନ୍ଦ୍ରମୁଁ ଏବଂ ରଣପୁର ପଞ୍ଚାୟତର ଚାଷ ଜମି । ଆଉ ଦିନ କେଇଟା ପରେ ଅମଳ ହୋଇଥାନ୍ତା ଧାନ । କିନ୍ତୁ ଚଳିତ ବର୍ଷର ମହାବନ୍ୟା ଯୋଗୁଁ ଭାଙ୍ଗିଯାଇଛି ଚାଷୀଙ୍କ ମେରୁଦଣ୍ଡ ।
ଦୀର୍ଘଦିନ ଧରି ବନ୍ୟା ଜଳରେ ସୁନାର ଫସଲ ବୁଡି ରହିବା ଫଳରେ ସବୁ କିଛି ନଷ୍ଟ ହୋଇଯାଇଛି । ଏପରିକି ବିହନ ମିଳିବାର ମଧ୍ୟ ସମ୍ଭାବନା ନାହିଁ । ହେକ୍ଟର ହେକ୍ଟର ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି ଚାଷୀ । ଧାର କରଜ ନେଇ ଚାଷୀ କରିଥିବା ସୁନାର ଫସଲ ଏବେ ମାଟିରେ ମିଶିଯାଇଛି । ନିଜର ଋଣକୁ କିପରି ଶୁଝିବ ତାକୁ ନେଇ ଚିନ୍ତାରେ ଚାଷୀ ।