ଯାଜପୁର/ କଟକ: ଉତ୍ପାତ କରୁଥିବା ଦନ୍ତା କାବୁ ପରେ ଲୋକେ ଆଶ୍ବସ୍ତ ହୋଇଛନ୍ତି । ଜନଜୀବନ ସ୍ବାଭାବିକ ହୋଇଛି । ସ୍କୁଲ ଖୋଲିଛି । ପୁନଃ ଗାଁକୁ ବିଦ୍ୟୁତ୍ ସଂଯୋଗ ମଧ୍ୟ ହୋଇଛି । ଡ୍ରୋନ୍ କ୍ୟାମେରା ଏବଂ ଟ୍ରାଙ୍କୁଲାଇଜ୍ ସହାୟତାରେ ସୋମବାର ରାତିରେ କାବୁ ହୋଇଥିଲା ନରହନ୍ତା ଦନ୍ତା । ଚିକିତ୍ସା ପାଇଁ ହାତୀଟିକୁ କଡା ସୁରକ୍ଷା ବଳୟ ମଧ୍ୟରେ କଣ୍ଟିପୁର ଜଙ୍ଗଲରୁ କଟକ ଡାଳିଯୋଡା ରେଞ୍ଜ୍ ଅଧିନକୁ ନିଆଯାଇଥିଲା । ତେବେ ସେଠାରେ ବି ଏହି ନରହନ୍ତା ଦନ୍ତାକୁ ଯାଗା ଦିଆଯିବ ନାହିଁ ବୋଲି କହି ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ ।
9ଦିନ ଧରି ଯାଜପୁରରେ ଆତଙ୍କ ଖେଳାଇଥିବା ଏହି ହାତୀକୁ ନେଇ ଏବେ ଟେନସନରେ ପ୍ରଶାସନ ଓ ବନବିଭାଗ । କାରଣ ହାତୀକୁ ଛଡାଯିବ କେଉଁଠି ? ଯେଉଁଠାବି ଛାଡିଲେ ଲୋକଙ୍କ ଭୟ କାଳେ ଜୀବନ ନେଇଯିବ । ଆଉ ସେହି ଭୟରେ ବନବିଭାଗ ଏହି ବିଶାଳ ଜନ୍ତୁକୁ ଧରି ବାର ଦୁଆର ବୁଲୁଛି । ସୋମବାର ହାତୀକୁ ପ୍ରଥମେ ଟ୍ରାଙ୍କୁଲାଇଜ କରି ଅଚେତ କରିବା ପରେ, ତାର ଚିକିତ୍ସା ପାଇଁ ମଙ୍ଗଳବାର କଟକ ବନଖଣ୍ଡ ଡାଳିଯୋଡା ରେଞ୍ଜର କୁଷୁନୁପୁରୁ କୁ ଆଣୁଥିଲା ବନବିଭାଗ । ହେଲେ ଟାଙ୍ଗୀ ବ୍ଲକ ଗରୁଡଗାଁ ପଞ୍ଚାୟତ ବିଶନାହାକାଣୀ ଗାଁର ଲୋକେ ହାତୀକୁ ଅଞ୍ଚଳରେ ପୁରାଇ ନଦେବାକୁ ଅଡିବସିଥିଲେ । ପ୍ରବଳ ବିରୋଧ, ପାଟିତୁଣ୍ଡ ପରେ ହାତୀକୁ ଫେରାଇ ଆଣି ଯାଜପୁରର ମହାବିନାୟକ ସଂରକ୍ଷିତ ଜଙ୍ଗଲ ଫାର୍ମ ହାଉସରେ ଅସ୍ଥାୟୀ ଭାବେ ରଖିଛି ବନବିଭାଗ ।