ଯାଜପୁର: ହାତୀ ଉପଦ୍ରବରେ ଲୋକେ ଆତଙ୍କିତ । ହାତୀ ପାଇଁ ଗାଁରେ ଚାଲିଛି ହୋ-ହଲ୍ଲା । ପିଲାଠୁ ବୁଢା ସମସ୍ତେ ଭୟଭୀତ । ଯାଜପୁର ଜିଲ୍ଲାର ଦାନଗଦୀ, କୋରାଇ ଓ ରସୁଲପୁର ବ୍ଲକର ପୃଥକ ପୃଥକ ସ୍ଥାନରେ ଦେଖିବାକୁ ମିଳିଛି ଦନ୍ତା ହାତୀର ଉପଦ୍ରବ । ପ୍ରାୟ ସପ୍ତାହେ ଧରି ବିଭିନ୍ନ ସ୍ଥାନରେ ଉପଦ୍ରବ ଜାରି ରଖିଛି ଦନ୍ତା । ଯାଜପୁର ଓ କେନ୍ଦୁଝର ସୀମାନ୍ତରେ ଥିବା ଜଙ୍ଗଲରୁ ଖସିଆସି ଜନବସତି ଆଡକୁ ପଶି ଆସିଥିଲା ଏହି ଦନ୍ତା । ତିନି ଦିନ ତଳେ ଦାନଗଦୀ ବ୍ଲକ୍ ବେଣାପାଟିଆ ଗାଁରେ ହାତୀ ଆକ୍ରମଣରେ ଜଣେ ଆଦିବାସୀ ପ୍ରାଣ ହରାଇଥିଲେ । କେବଳ ସେ ଜଣେ ନୁହଁନ୍ତି ହାତୀ ଆକ୍ରମଣରେ ପୃଥକ ପୃଥକ ସ୍ଥାନରେ 5 ରୁ ଊର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି ।
ସେହିପରି ବୁଧବାର ରାତିରେ ହାତୀଟି କୋରାଇ ବ୍ଲକ ରଗଡି କୋରବନ୍ଦୀ ଅଞ୍ଚଳରେ ପଶି ଉପଦ୍ରବ ଚଳାଇଥିଲା । ସେ ପ୍ରାୟ 25 କିଲୋମିଟର ଦୀର୍ଘ ରାସ୍ତା ଅତିକ୍ରମ କରି ଖରସ୍ରୋତା ନଦୀ ପାରହୋଇ ଆଜି ରସୁଲପୁର ବ୍ଲକର ନଦୀକୂଳ ଅଞ୍ଚଳରେ ପଶିଯଇଛି । ହାତୀଟି ଫସଲ କିଆରିରେ ପଶି ବ୍ୟାପକ ପନିପରିବା ଫସଲ ନଷ୍ଟ କରିଛି । ଲୋକଙ୍କୁ ସୁରକ୍ଷା ଦେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ସେପଟେ ହାତୀ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।
ଗୁରୁବାର ସକାଳେ ଏହି ଦନ୍ତାଟି ରସୁଲପୁର ବ୍ଲକର ଖରସ୍ରୋତା ନଦୀ ତଟରେ ଥିବା ଗାଁ ମାନଙ୍କରେ ପଶି ଉପଦ୍ରବ ଚଳାଇଥିଲା । ଦନ୍ତାଟି ଚାଷଜମିରେ ପଶି ବ୍ୟାପକ ଧାନ, ବିରି, ମୁଗ ଓ ପନିପରିବା ଫସଲ ନଷ୍ଟ କରିଛି । ଏଥିସହ ଗାଁରେ ପଶି ଭଙ୍ଗାରୁଜା ମଧ୍ୟ କରିଛି । ହାତୀ ଉପଦ୍ରବରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଯାହାକୁ ନେଇ ଚାଷୀ ହତୋତ୍ସାହିତ ହୋଇ ଦୁଃଖରେ ଭାଙ୍ଗିପଡିଛନ୍ତି । ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ବନବିଭାଗ ନିକଟରେ ଦାବି ଜଣାଇଛନ୍ତି ।