ଯାଜପୁର: ଜିଲ୍ଲାର ବଡଚଣା ବ୍ଲକରେ ଅବସ୍ଥିତ ଶୁଖୁଆପଡା ଗାଁ । 80ଟି ପରିବାରର 600 ଲୋକଙ୍କୁ ନେଇ ଗଠିତ ଏହି ଗାଁର ଅନେକ ପରିବାରର ଜୀବନ ଜୀବିକା କହିଲେ ପଥର କାରିଗରୀକୁ ବୁଝାଏ । ବିକାଶର ଅପହଞ୍ଚ ଏହି ଗାଁରୁ ସର୍ବଦା ନିହଣ ଓ ହାତୁଡିର ଠନ-ଠନ ଶଦ୍ଦ ଗୁଞ୍ଜରିତ ହେଉଥାଏ । ପଥର ନିର୍ମିତ ଚଉଁରା, ଶିଳ ଶିଳପୁଆ ଓ ସୂକ୍ଷ୍ମ ସୂକ୍ଷ୍ମ କଳାକୃତିରେ ନିର୍ମିତ ମୂର୍ତ୍ତିରୁ ବାରି ହୋଇପଡେ ଏହି କାରିଗରଙ୍କ କାମ ।
ସ୍ଥାନୀୟବାସୀ ଅନୁମାନ କରନ୍ତି ନିକଟସ୍ଥ ଲଳିତଗିରି, ବୌଦ୍ଧପୀଠ ନିର୍ମାଣ କରିଥିବା କାରିଗର ଏହି ଗାଁରେ ଘର ବସାଇଥିଲେ । ଆଉ ସେବେ ଠାରୁ ବାପା ଗଢୁଥିଲା ମୂର୍ତ୍ତି ଏବେ ପୁଅ ବି ଗଢୁଛି । କିନ୍ତୁ ବିଡମ୍ବନାର ବିଷୟ ଯେ, ବର୍ଷ ପରେ ବର୍ଷ... ପିଢି ପରେ ପିଢି ଏହି କାରୁକାର୍ଯ୍ୟ ତଥା ଜୀବନ୍ତ ମୂର୍ତ୍ତି ଗଢୁଥିବା କାରିଗରଙ୍କ କୂଳ ବେଉସା ଏବେ ବୁଡିବାକୁ ବସିଲାଣି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଶୁଖୁଆପଡାର ଶିଳ୍ପୀ ନିର୍ମାଣ କରୁଥିବା ନିଖୁଣ ମୂର୍ତ୍ତି ସବୁ ମଠ ମନ୍ଦିରରେ ଶୋଭା ପାଉଛି । ହେଲେ ସରକାରୀ ଉଦାସୀନତା ସାଙ୍ଗକୁ କଞ୍ଚାମାଲ ଓ ପରିବହନ ଅଭାବ ଯୋଗୁଁ ସେମାନଙ୍କ କୌଳିକ ବୃତ୍ତି ଏବେ ବିପଦରେ ।
ଉନ୍ନତମାନର କଳାକୃତି ପାଇଁ ନିକଟରେ ଶୁଖୁଆପଡା ଗାଁ ଶିଳ୍ପୀଗ୍ରାମର ମାନ୍ୟତା ପାଇଛି । କିନ୍ତୁ ତଥାପି ଏଠି ଆବଶ୍ୟକ ସାମଗ୍ରୀର ଅଭାବ ରହିଛି । ତେବେ ଗାଁକୁ ଲାଗିଛି ଶାଣ ପଥରର ବିଶାଳ ପାହାଡ । ହେଲେ ସରକାରୀ କଟକଣା ପାଇଁ ଏଠାକାର କାରିଗର ପଥର ଖଣ୍ଡେ ଆଣି ପାରୁନାହାଁନ୍ତି ।