ଯାଜପୁର: ମଦ୍ୟପ ସ୍ବାମୀର ଅତ୍ୟାଚାର ସହି ନ ପାରି ଏକାକୀ ଜୀବନ ଲଢିବାକୁ ଆଗେଇ ଆସିଥିଲେ । ହେଲେ ମଦ୍ୟପ ସ୍ବାମୀ ଠାରୁ ବଳିଗଲା ଦଇବର ଦୁଃଖ । ଦୁର୍ଘଟଣାରେ ଗୋଡ ହରାଇ ଦିବ୍ୟାଙ୍ଗ ପାଲଟିଗଲେ ଯାଜପୁର ବ୍ୟାସନଗରର ସାବିତ୍ରୀ ଦାସ । 2 ବର୍ଷ ପୂର୍ବରୁ ଦୁର୍ଘଟଣାରେ ଦିବ୍ୟାଙ୍ଗ ପାଲଟିଥିବା ସାବିତ୍ରୀଙ୍କୁ ଆଜି ଯାଏଁ ମିଳିପାରିନି ସରକାରୀ ସୁବିଧା । ଫଳରେ ଭଙ୍ଗା ଷ୍ଟୁଲ ସାଜିଛି ସାବିତ୍ରୀଙ୍କ ସାହାରା । ଭଙ୍ଗା ଷ୍ଟୁଲରେ ଘୁଷୁଡି ଘୁଷୁଡି ଏଠାରୁ ସେଠାକୁ ହେଉଛନ୍ତି ଯାଜପୁର ବ୍ୟାସନଗର ପୌରପାଳିକାର 26 ନମ୍ବର ୱାର୍ଡର ସାବିତ୍ରୀ ଦାସ ।
ମଦ୍ୟପ ସ୍ବାମୀ ଠାରୁ ଅଲଗା ହେବା ପରେ ଆହୁରି ଦୁର୍ବିଶହ ହୋଇପଡିଛି ତାଙ୍କ ଜୀବନ । ସାବିତ୍ରୀ ନିଜ ଅପାଙ୍କ ଘରେ ରହୁଛନ୍ତି । ଘର କହିଲେ ଚାଳ ଛପର ଟିଏ । ଚାରି ଆଡୁ ଖୋଲାମେଲା । ଚଟାଣରେ ଖାଲି ମଶିଣା ଟିଏ । ଏତିକିରେ ବସବାସ କରନ୍ତି ସାବିତ୍ରୀ । ପେଟ ପାଟଣା ପାଇଁ ଦିନେ ମଜୁରୀ ସାରି ବାଲେଶ୍ଵରରୁ ଯାଜପୁର ରୋଡକୁ ଟ୍ରେନ ମାଧ୍ୟମରେ ଫେରୁଥିଲେ । ଏହି ସମୟରେ ସେ ହଠାତ ଟ୍ରେନରୁ ଖସି ପଡିବାରୁ ତାଙ୍କୁ ବାମ ଗୋଡଟି ହରାଇବାକୁ ପଡିଥିଲା । ସେହି ଦିନଠୁ ଦିବ୍ୟାଙ୍ଗ ପାଲଟିଥିବା ସାବିତ୍ରୀ ଅନ୍ୟ ଉପରେ ବୋଝ ପାଲଟିଛନ୍ତି ।