ଯାଜପୁର: ବୁଥ ରିଗିଂ । ରାଜ୍ୟରେ ଚାରୋଟି ପର୍ଯ୍ୟାୟରେ ସରିଥିବା ମତଦାନରେ ଆସିଥିଲା ଏହି ଅଭିଯୋଗ । କିଛି ସ୍ଥାନରେ ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀ ମଧ୍ୟ ଏଥିରେ ସମ୍ପୃକ୍ତ ଥିବା ଜଣାପଡିଥିଲା । କିନ୍ତୁ ଏବେ ଏଭଳି ଏକ ଖବର ଆସିଛି, ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ଭୋଟର ଜାଣିନାହାଁନ୍ତି, ସେ କାହାକୁ ଭୋଟ ଦେଇଛନ୍ତି ଓ ତାଙ୍କ ଭୋଟ କେଉଁଠି ପଡିଛି । ଆଉ ଏଥିପାଇଁ ଦାୟୀ ଭାବରେ ବୁଥ ଦାୟିତ୍ବରେ ଥିବା କର୍ମଚାରୀ ବୋଲି ସେ ଅଭିଯୋଗ କରିଛନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର ଘଟଣାଟି ଯାଜପୁରର । ରାଜ୍ୟ ବିଧାନସଭାର 52 ନମ୍ବର ଆସନ । ଚତୁର୍ଥ ପର୍ଯ୍ୟାୟରେ ଏଠି ସୋମବାର ନିର୍ବାଚନ ହୋଇଥିଲା । ବୁଥ ନମ୍ବର 59କୁ ଭୋଟ ଦେବାକୁ ଆସିଥିଲେ ଜଣେ ଦୃଷ୍ଟିହୀନ ଭୋଟର । ନାଁ- ବିରଞ୍ଚି ନାରାୟଣ ସାହୁ । ବୁଥରେ ଦୃଷ୍ଟିହୀନଙ୍କ ପାଇଁ ବ୍ରେଲି ବ୍ୟବସ୍ଥା ବି ହୋଇଥିଲା । ହେଲେ ପୋଲିଂ କର୍ମଚାରୀ ବିରଞ୍ଚିଙ୍କ ସମସ୍ତ କାଗଜ ପତ୍ର ଯାଞ୍ଚ କରିବା ପରେ ତାଙ୍କୁ ଯିବାକୁ କହିଲେ । ବିରଞ୍ଚି ଭୋଟ ଦେବାକୁ ଅଫିସରଙ୍କୁ କହିଥିଲେ । ମାତ୍ର ତାଙ୍କ ଭୋଟ ଦିଆସରିଛି ବୋଲି ଅଫିସରଙ୍କ ଠାରୁ ମିଳିଥିଲା ଉତ୍ତର ବେଲି ସେ ଅଭିଯୋଗ କରିଛନ୍ତି ।
ଘଟଣାକୁ ନେଇ ଜଣେ ସଚେତନ ନାଗରିକ ହିସାବରେ ପୋଲିଂ ବୁଥରେ ହିଁ ପ୍ରତିବାଦ କରିଥିଲେ ବିରଞ୍ଚି । ନିଜ ଭୋଟ ନିଜ ହାତରେ ଦେବା ପାଇଁ ଅନୁରୋଧ କରିଥିଲେ । ମାତ୍ର ପୋଲିଂ କର୍ମଚାରୀଙ୍କଠାରୁ ଉତ୍ତର ମିଳିଥିଲା ଯେ ଦୃଷ୍ଟିହୀନମାନେ ଭୋଟିଂ ମେସିନରେ ଭୋଟ ଦେଇପାରିବେ ନାହିଁ । ତାଙ୍କ ଭୋଟ ଆଉ କେହି ଦେଇଦେବେ । ଯାହାକି ନିର୍ବାଚନ ଆଇନର ଖୋଲାଖୋଲି ଉଲଙ୍ଘନ । ତେବେ ଏନେଇ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ବିରଞ୍ଚି । ନିଜ ଅଧିକାର ଫେରାଇ ଦେବାକୁ କରିଛନ୍ତି ନିବେଦନ ।
ଏ ଘଟଣା ସାମ୍ନାକୁ ଆସିବା ପରେ ଏବେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ଯଦି ବୁଥରେ ବ୍ରେଲି ବ୍ୟବସ୍ଥା ଥିଲା, ତେବେ କାହିଁକି ବିରଞ୍ଚିଙ୍କୁ ଭୋଟଦାନରୁ ବଞ୍ଚିତ କରାଗଲା । ଜଣେ ଭୋଟର ଜାଣିପାରିଲେନି ଯେ ସେ କାହାକୁ ଭୋଟ ଦେଲେ । ଏହା ନାଗରିକର ସ୍ବାଧୀନତା ଉପରେ ହସ୍ତକ୍ଷେପ ନୁହେଁ କି ? ଯଦି ତାଙ୍କ ଭୋଟ ଅନ୍ୟ କେହି ଦେଲେ, ତେବେ ସେ କିଏ । ପୋଲିଂ କର୍ମଚାରୀ ନା ବୁଥରେ ନିୟୋଜିତ ଥିବା ଦଳୀୟ ଏଜେଣ୍ଟ । ଘଟଣାର ଯେ ତଦନ୍ତ ହେବାର ଆବଶ୍ୟକତା ରହିଛି, ପୁରା ଘଟଣାରୁ ଏହା ସ୍ପଷ୍ଟ ହେଉଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ