ଓଡିଶା

odisha

By

Published : Mar 30, 2019, 3:36 PM IST

Updated : Mar 30, 2019, 4:46 PM IST

ETV Bharat / state

'ବଟନ ସେଇଠି, ସମସ୍ୟାର ସମାଧାନ ଯେଉଁଠି'

ଅଣକଂଗ୍ରେସ ଗଡ଼ ଭାବେ ପରିଚିତ ଧର୍ମଶାଳାରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିବ ବୋଲି କୁହାଯାଉଛି। କିଏ ଏଠାରୁ ବାଜି ମାରିବ ତାହା ନିର୍ବାଚନ ଫଳାଫଳରୁ ଜଣାପଡିବ।

ଡିଜାଇନ ଫଟୋ

ଯାଜପୁର: 2019 ନିର୍ବାଚନ ବିଗୁଲ ବାଜିବା ପରେ ସକ୍ରିୟ ହୋଇଉଠିଛି ରାଜ୍ୟ । ଖରା ଠୁ ବଳିଯାଇଛି ନିର୍ବାଚନୀ ତାତି । ଯାହାର ପ୍ରଭାବ ବର୍ତ୍ତମାନ ଠାରୁ ସମଗ୍ର ରାଜ୍ୟର କୋଣ ଅନୁକୋଣରେ ଅନୁଭୂତ ହେଲାଣୀ । ଛକ ବଜାର ଠାରୁ ଆରମ୍ଭ କରି ରାସ୍ତାଘାଟ ପର୍ଯ୍ୟନ୍ତ ସବୁଠି ଚାଲିଛି ନିର୍ବାଚନୀ ଚର୍ଚ୍ଚା । ଏଥରର କିଏ କେଉଁଠାରୁ ବାଜିମାତ କରିବା ତାକୁ ନେଇ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାହାର ଝଲକ ଦେଖିବାକୁ ମିଳିଛି ଖଣିଖାଦାନ ଭରା ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନମଣ୍ଡଳୀରେ । ଧର୍ମଶାଳା ବ୍ଲକର 44 ଏବଂ ରସୁଲପୁର ବ୍ଲକର 9ଟି ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ । ଅଣସଂରକ୍ଷିତ ରହିଛି ଧର୍ମଶାଳା ବିଧାନସଭା ଆସନ । ଚଳିତ ଥର ମୋଟ 1 ଲକ୍ଷ 82 ହଜାର 275 ଜଣ ମତଦାତା ଏଥର ମତଦାନ କରିବେ ।

କଳା, ସାହିତ୍ୟ, ସଂସ୍କୃତି ଏବଂ ଐତିହ୍ୟରେ ଭରପୂର ରହିଛି ଧର୍ମଶାଳା । ମୁଖ୍ୟତଃ ଏହି ନିର୍ବାଚନ ମଣ୍ଡଳୀ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି ଆଉ ପର୍ଯ୍ୟଟନ ଆଦି କ୍ଷେତ୍ରରେ ବେଶ ଆଗୁଆ ରହିଛି। ଖଣିଖାଦାନ ଭରା ଜିଲ୍ଲାରେ ରହିଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଏବେବି ପଛୁଆ ରହିଛି ଧର୍ମଶାଳା । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟରେ କାୟାମା ଲାଙ୍ଗୁଡି ଆଦି ବୌଦ୍ଧସ୍ଥଳୀର ବିକାଶ ପାଇଁ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହଁ।

ଅନ୍ୟପକ୍ଷରେ ଧର୍ମଶାଳାରେ ପାକୃତିକ ସମ୍ପଦର ବ୍ୟାପକ ଭାବେ ହରିଲୁଟ ଚାଲିଛି। ନିର୍ଵାଚନୀ ମଣ୍ଡଳୀ ଅଧିନସ୍ଥ ରସୁଲପୁର ବ୍ଲକ ଚାଷୀ, କୃଷିକ୍ଷେତ୍ରରେ ରାଜ୍ୟରେ ସୁନାମ ଆଣିଥିବା ବେଳେ ଅଦ୍ୟାବଧି ଏଠାରେ ଶୀତଳ ଭଣ୍ଡାର ଟିଏ ପ୍ରତିଷ୍ଠା ହୋଇପାରି ନାହିଁ । ସେପଟେ ରାଜ୍ୟରେ ପରିବା ହବ କୁହାଯାଉଥିବା ବାରବାଟୀ ପରିବା ବଜାର ଏବେ ବି ସମସ୍ୟା ଘେରରେ ରହିଛି ।

ଚାଷୀଙ୍କ ପାଇଁ ବିକ୍ରୟ ସୁବିଧା କେନ୍ଦ୍ର ନଥିବାରୁ ଦୈନନ୍ଦିନ ବ୍ୟବହୃତ ହେଉଥିବା ଜାତୀୟ ରାଜପଥରେ ଚାଲିଛି ପରିବା ବଜାର । ଏହି ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର କୁହାଯାଉଥିବା ଜାରକା ବଜାର ଅବସ୍ଥା ସଙ୍ଗିନୀ । ଦୈନିକ ହଜାର ହଜାର ଲୋକ ଏଠାକୁ ଆସୁଥିବା ବେଳେ ରହିଥିବା ଗଳିପୋଲରେ ଟ୍ରାଫିକ ସମସ୍ୟା ବଢ଼ି ବଢ଼ି ଚାଲିଛି । ଦୀର୍ଘ ବର୍ଷ ହେବ ଏଠାରେ ଏକ ଫ୍ଲାଏଓଭର ବ୍ରିଜ ନିର୍ମାଣ କରାଯିବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି କାହାରି ନିଘା ନାହିଁ । ଧର୍ମଶାଳା ତହସିଲ ଅଞ୍ଚଳରେ ଥିବା ଡଙ୍କାରୀ ପାହାଡ ଲୁଟ ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲିଟିଛି ।

ଧର୍ମଶାଳାର ରାଜନୈତିକ ଚିତ୍ର

ବିଗତ 2 ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଏକ ଅଣକଂଗ୍ରେସ ଗଡ଼ ଭାବେ ପରିଚିତ ଏହି ନିର୍ବାଚନ ମଣ୍ଡଳୀ । ଗତ 2014 ମସିହା ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟ 85 ହଜାରରୁ ଊର୍ଦ୍ଧ୍ୱ ଭୋଟରେ କଂଗ୍ରେସର ଶ୍ରୀନାଥ ମିଶ୍ରଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ଶ୍ରୀନାଥ ମିଶ୍ର 23, 455 ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡା 19ହଜାର 940 ଭୋଟ ପାଇଥିଲେ । 1995 ମସିହାରୁ ଧର୍ମଶାଳା ବିଧାନସଭା ଆସନରୁ ଲଗାତାର 4ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସ୍ଵର୍ଗତ କଳ୍ପତରୁ ଦାସ । ବିଧାୟକ ହେବା ପରେ ରାଜ୍ୟ ମନ୍ତୀମଣ୍ଡଳରେ ସ୍ଥାନ ପାଇବା ସହ ଦଳୀୟ ଟିକେଟରେ ରାଜ୍ୟସଭାରେ ପ୍ରତିନିଧିତ୍ବ କରିଥିଲେ ।

ଏଥର ଲଢେଇ ବେଶ ଜୋରଦାର ହେବା ସହ ଧର୍ମଶାଳାରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିବ କୁହାଯାଉଛି । ସ୍ଥାନୀୟ ସମସ୍ୟାର ସମାଧାନ ଯିଏ କରିବ ତାକୁ ଭୋଟ ମିଳିବ ବୋଲି ରୋକଠୋକ ଜଣାଇ ଦେଇଛନ୍ତି ଧର୍ମଶାଳା ଭୋଟର ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଈଟିଭି ଭାରତ

Last Updated : Mar 30, 2019, 4:46 PM IST

ABOUT THE AUTHOR

...view details