ଯାଜପୁର: ଜିଲ୍ଲା ପାଣିକୋଇଲି ବଜାରରେ ହୋଟେଲ ମାଲିକକୁ ଗଳାକାଟି ହତ୍ୟା । ମୃତ ଯୁବକ ହେଲେ ସ୍ଥାନୀୟ ପାଣିକୋଇଲି ଗାଁର ରବୀନ୍ଦ୍ର ସାହୁ । ଆଜି ସକାଳୁ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ନିଜ ହୋଟେଲରେ ପଡିଥିବା ଦେଖିବାକୁ ମିଳିଥିଲା । ଗତକାଲି ବିଳମ୍ବିତ ରାତ୍ରିରେ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବାବେଳେ ପାରିବାରିକ ଅଶାନ୍ତି ନେଇ ହତ୍ୟା ହୋଇଥିବା ସନ୍ଦେହ କରୁଛି ପୋଲିସ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିବାବେଳେ ଖୁବଶୀଘ୍ର ଅପରାଧୀକୁ ଧରାପଡିବ ବୋଲି ଯାଜପୁର ରୋଡ ଏସଡିପିଓ ସୂଚନା ଦେଇଛନ୍ତି ।
ଗତ କିଛିଦିନ ଧରି ନିଜ ପରିବାରକୁ ଛାଡି କେତେକ ଅସାମାଜିକ ବ୍ୟକ୍ତିଙ୍କ ସହିତ ମିଳାମିଶା କରୁଥିଲା ରବୀନ୍ଦ୍ର । ସେମାନଙ୍କ ସହିତ ମିଶି ସେ ନିଶା ସେବନ କରୁଥିଲା ବୋଲି ସମ୍ପର୍କୀୟ ସୂଚନା ଦେଇଛନ୍ତି । ସେହି ଅସାମାଜିକ ଗୋଷ୍ଠୀ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ରବୀନ୍ଦ୍ରଙ୍କ ଭାଇ କହିଛନ୍ତି । ହତ୍ୟାକାଣ୍ଡ ସ୍ଥଳଟି ୧୬ ନଂ ଜାତୀୟ ରାଜପଥ କଡରେ ଅବସ୍ଥିତ । ଏହି ଅଞ୍ଚଳରେ ବ୍ୟାପକ ଜବରଦଖଲ କରାଯାଇ ନାନା ଅସାମାଜିକ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ତେଣୁ ଏହି ଅଞ୍ଚଳରେ ପୋଲିସର କଡା ପ୍ରହରା ଦେବାକୁ ଦାବି ହୋଇଛି।