ଓଡିଶା

odisha

ETV Bharat / state

ଲକଡାଉନ ମାଡ: କ୍ଷେତରେ ସଢୁଛି ପରିବା, ମୁଣ୍ଡରେ ଋଣଭାର - କ୍ଷେତରେ ସଢୁଛି ପରିବା

ଅମଳ ବେଳାରେ ଗଛରେ ପାଚି ନଷ୍ଟ ହେଉଛି ଶସ୍ୟ । କାରଣ ବଜାରକୁ ନେବାକୁ ନାହାନ୍ତି ଲୋକ । ନା ଗାଡିବାଲା ନା ବେପାରୀ । ସମସ୍ତେ ଅରାଜି । ଅଧିକ ପଢନ୍ତୁ...

ଲକଡାଉନ ମାଡ: କ୍ଷେତରେ ସଢୁଛି ପରିବା, ମୁଣ୍ଡରେ ଋଣଭାର ଚିନ୍ତା
ଲକଡାଉନ ମାଡ: କ୍ଷେତରେ ସଢୁଛି ପରିବା, ମୁଣ୍ଡରେ ଋଣଭାର ଚିନ୍ତା

By

Published : Apr 13, 2020, 4:09 PM IST

ଯାଜପୁର: ସାରା ରାଜ୍ୟରେ ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି । ସମସ୍ତେ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି । ଦିନ ମଜୁରିଆଠାରୁ କମ୍ପାନୀ ସମସ୍ତେ ଲକଡାଉନରେ କ୍ଷତି ସହିଛନ୍ତି । କିନ୍ତୁ ସବୁଠାରୁ ଅଧିକ ଅସୁବିଧାରେ ପଡିଛନ୍ତି ରାଜ୍ୟର ବିଭିନ୍ନ ଜିଲ୍ଲାର ଚାଷୀ । କ୍ଷେତରେ ପଡି ପରିବା ନଷ୍ଟ ହେଉଛି । କିନ୍ତୁ ବିକ୍ରି ହୋଇପାରୁନାହିଁ ।

ଲକଡାଉନ ମାଡ: କ୍ଷେତରେ ସଢୁଛି ପରିବା, ମୁଣ୍ଡରେ ଋଣଭାର ଚିନ୍ତା

ଯାଜପୁର ଜିଲ୍ଲା ରସୁଲପୁର ବ୍ଳକର ସମାନ ଦଶା । କୋରୋନା ମୁକାବିଲା ପାଇଁ ଘୋଷଣା ହୋଇଛି ଲକଡାଉନ । କିନ୍ତୁ ପ୍ରତ୍ୟକ୍ଷ ଅପେକ୍ଷା ଚାଷୀଙ୍କ ମୁଣ୍ଡରେ ପଡିଛି ଏହାର ପରୋକ୍ଷ ପ୍ରଭାବ । ଯାହା ଏହି ଦୃଶ୍ୟରୁ ସ୍ପଷ୍ଟ ଜଣାପଡୁଛି । କ୍ଷେତରେ ଉଜୁଡିଯାଇଛି ଝୁଡୁଙ୍ଗ, ଟମାଟୋ, ବାଇଗଣ, ଭେଣ୍ଡି, ପୋଟଳ, କଲରା ଓ ବୋଇତି କଖାରୁ ଭଳି ପନିପରିବା । ଏହାସହିତ ବିରି, ମୁଗ ଓ ଚିନାବାଦାମ ଆଦି ଫସଲ ମଧ୍ୟ ନଷ୍ଟ ହେଉଛି ।

ଅମଳ ବେଳାରେ ଗଛରେ ପାଚି ନଷ୍ଟ ହେଉଛି ଶସ୍ୟ । କାରଣ ବଜାରକୁ ନେବାକୁ ନାହାନ୍ତି ଲୋକ । ନା ଗାଡିବାଲା ନା ବେପାରୀ । ସମସ୍ତେ ଅରାଜି । କୋରୋନା ସାଙ୍ଗକୁ ଲକଡାଉନରେ ପୋଲିସର ଡର । ନିଜେ ବଜାରକୁ ନେଇ ବିକ୍ରି କରିବାକୁ ମଧ୍ୟ ଡରୁଛି ଚାଷୀ । ମୁଣ୍ଡ ଉପରେ ପଡିଛି ଚଡକ । ଋଣଭାର ସାଙ୍ଗକୁ ପରିବାର ପ୍ରତିପୋଷଣର ଚିନ୍ତା । ପରିସ୍ଥିତି ଆଗରେ ଅସହାୟ ହୋଇପଡିଛି ଚାଷୀ ।

ରସୁଲପୁର ବ୍ଳକଟି ସମ୍ପୂର୍ଣ୍ଣ ରୂପେ ନଦୀକୂଳ ଅଞ୍ଚଳ ହୋଇଥିବାବେଳେ ଚାଷ ହେଉଛି ଏ ଅଞ୍ଚଳର ଲୋକଙ୍କ ମୁଖ୍ୟ ପେସା । ଋଣକରଜ କରି ଚାଷୀ ଚାଷରେ ଲକ୍ଷ।ଧିକ ଟଙ୍କା ଖର୍ଚ୍ଚ କରିଥିଲେ । ପରିବା ଅମଳ କରି ବଜାରରେ ବିକ୍ରି କରିବାକୁ ଲକ୍ଷ୍ୟ ରଖିଥିଲେ । ଯେଉଁଥିରୁ ସେମାନେ ଋଣ ସୁଝିବା ସହ ପରିବାର ପ୍ରତିପୋଷଣ କରିଥାନ୍ତେ । ଏବେ ମୂଳ ମଜୁରିଆ ନମିଳିବାରୁ ପରିବା ବିଲରୁ ଅମଳ କରିବା ମଧ୍ୟ କାଠିକର ହୋଇପଡିଛି । ପରିବାଗୁଡିକ ବିଲରେ ପାଚିସଢି ନଷ୍ଟ ହେଉଛି ।

ସେପଟେ ଏନେଇ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କୁ ଭେଟିଥିଲେ ଇଟିଭି ପ୍ରତିନିଧି । ସେ କହିଥିଲେ ଏଥିରେ ଚାଷୀ ଭୟଭୀତ କରିବାର କିଛି କାରଣ ନାହିଁ । ସେମାନଙ୍କୁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବ । ଆବଶ୍ୟକ ପଡିଲେ ସରକାରଙ୍କ ସହ ଏନେଇ ଆଲୋଚନା କରିବେ ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ କେବଳ ରସୁଲପୁର ବ୍ଳକ ନୁହେଁ ଧର୍ମଶାଳା, ବରୀ, ଦଶରଥପୁର ଓ କୋରେଇ ପ୍ରଭୁତି ବ୍ଳକରେ ମଧ୍ୟ ଚାଷୀମାନେ ଏହିଭଳି ଚିନ୍ତାରେ ପଡିଛନ୍ତି ।

ବାହାରକୁ ବାହାରିଲେ ମହାମାରୀ ଆତଙ୍କ । ଘରେ ରହିଲେ ଅନାହାରର ଡର । ଦୋଛକିରେ ପଡିଛନ୍ତି ଗରିବ ଚାଷୀ । ସେମାନଙ୍କୁ ଯଦି ସ୍ବୀକୃତି ପତ୍ର କିମ୍ବା ଅନ୍ୟାନ୍ୟ ସହାୟତା ଜରିଆରେ ବିକ୍ରି କରିବାର ସୁଯୋଗ ମିଳନ୍ତା ଅତ୍ୟନ୍ତ ପକ୍ଷେ ସେମାନେ ନିଜର ଆର୍ଥିକ ସଙ୍କଟରୁ ବର୍ତ୍ତିଯାଇପାରନ୍ତେ । କାରଣ କିଛି ନହେଲେ ମଧ୍ୟ ଋଣଭାର ସୁଝିବା ଚିନ୍ତା ତାଙ୍କୁ ବେଶୀ ସମସ୍ୟାରେ ପକାଇପାରେ । ଏହାକୁ ସୁଝିବାକୁ ଚାଷୀ କୌଣସି ଚରମ ପନ୍ଥା ନ ଆପଣାଉ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details