ଯାଜପୁର: କଥାରେ ଅଛି ବିପଦ ଆସିଲେ ପାହାଡ ଭାଙ୍ଗି ଆସେ l କୋରେଇ ବ୍ଲକ ତଳଗଡ ପଞ୍ଚାୟତ ମଙ୍ଗରାଜପୁର ଗାଁରେ ସ୍ୱାମୀ ମୁଖ ଗହ୍ୱର କର୍କଟ ରୋଗରେ ପୀଡିତ ଥିବାବେଳେ ସ୍ତ୍ରୀ ମଧୁମେହ ରୋଗରେ ଶଯ୍ୟାଶାୟୀ । ଏମାନଙ୍କ ପାଖରେ ନା ଅଛି ରୋଜଗାର ନା ଅଛି ସରକାରୀ ଯୋଜନା । ବଞ୍ଚିବା ପାଇଁ ଦିନ ରାତି ସଂଘର୍ଷ କରୁଛନ୍ତି ଏହି ବୃଦ୍ଧ ଦମ୍ପତି l ଯେଉଁଠି ଗୋଟେ ଓଳି ଖାଇବା ପାଇଁ ନାହିଁ ସେଠି ରୋଗର ଚିକିତ୍ସା ବା କରିବେ କେମିତି l
ସଦାଶିବ ଏକ ଚାହା ଦୋକାନ କରି ଅନେକ ଦିନ ନିଜର ପରିବାର ପ୍ରତିପୋଷଣ କରୁଥିଲେ l ହଠାତ କିଛି ବର୍ଷ ତଳେ ମୁଖ ଗହ୍ୱର ରୋଗରେ ପୀଡିତ ହୋଇ ଥିଲେ ସଦାଶିବ l ଏହାପରେ ବିପଦର ପାହାଡ ଯେମିତି ମାଡି ଆସିଲା ସଦାଶିବଙ୍କ ପରିବାର ଉପରେ ପରେ ସ୍ତ୍ରୀ କାମିନୀ ମଧ୍ୟ ମଧୁମେହ ରୋଗରେ ପୀଡିତ ହେଲେ l ବାପା ମାଆଙ୍କର ଏଭଳି ଅବସ୍ଥା ଦେଖି ମାନସିକ ଭାରସାମ୍ୟ ହରାଇ ଥିଲେ ସଦାଶିବଙ୍କ ଏକମାତ୍ର ପୁଅ l ଅର୍ଥ ଅଭାବରୁ ଘର ଖଣ୍ଡେ କରି ନ ପାରି ଏଭଳି ଏକ ଭଙ୍ଗା ଦଦରା ଘରେ ଅତି ଦୟନୀୟ ଅବସ୍ଥାରେ ପଡି ରହିଛନ୍ତି ଉଭୟ ଦମ୍ପତି। ନା ଏହି ପରିବାରକୁ ମିଳିଛି ବାର୍ଦ୍ଧକ୍ୟ ଭତ୍ତା ନା ମିଳିଛି ଆବାସ ଯୋଜନାରେ ଘର l ସଦାଶିବ ସାହାଯ୍ୟ ପାଇଁ ପ୍ରଶାସନ ଓ ରାଜନେତାଙ୍କ ନିକଟକୁ ବାରମ୍ବାର ଧାଇଁ ଧାଇଁ ନୟାନ୍ତ ହୋଇପଡିଥିଲେ ସୁଦ୍ଧା କେହି ସହାୟତାର ହାତ ବଢାଇ ନହାନ୍ତି l ଏଭଳି ସମୟରେ ସରକାର କିମ୍ବା ସ୍ବେଚ୍ଛାସେବୀ ସେମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ଉଭୟ ଦମ୍ପତି ।