ଯାଜପୁର:ସାଧାରଣ ଲୋକଙ୍କ ଉନ୍ନତି ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଗରିବ ଓ ଅସହାୟ ବର୍ଗର ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସତ କିନ୍ତୁ ସେହି ସବୁ ଯୋଜନାର ଲାଭ ଯୋଗ୍ୟ ହିତାଧିକାରୀଙ୍କ ନିକଟରରେ ପହଞ୍ଚିପାରୁନି । ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ ପ୍ରଭାବଶାଳୀ ଲୋକେ ଏହି ଯୋଜନାକୁ ହଡପ କରୁଥିବା ଅଭିଯୋଗ ହେଉଛି । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିରିପଟା ପଞ୍ଚାୟତରୁ । ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କ ପାଇଁ ଆସିଥିବା ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ମିଳିଛି ।
ବିରିପଟା ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ହରିଲୁଟ ଅଭିଯୋଗ । ପଞ୍ଚାୟତର ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ଟଙ୍କାକୁ ଆତ୍ମସାତ କରାଯାଇଥିବା ଅଭିଯୋଗ । ହିତାଧିକାରୀଙ୍କ ନାଁରେ ଟଙ୍କା ତ ଆସିଛି କିନ୍ତୁ ଲାଭବାନ ହେଉଛନ୍ତି ଅଜଣା ବ୍ୟକ୍ତି । ଏ ହେଉଛନ୍ତି ବିରିପଟା ପଞ୍ଚାୟତ ବରେଇ ଗ୍ରାମର ଆରତୀ ବାହାଲ । ତିନି ବର୍ଷ ତଳେ ତାଙ୍କ ପତି ଅସୁସ୍ଥତା କାରଣରୁ ଦେହତ୍ୟାଗ କରିଥିଲେ । ମାତ୍ର ଏବେ ଜାଣିବାକୁ ପାଇଲେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଆସିଥିବା ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ କିଏ ହଡ଼ପ କରିଛି । ସେହିଭଳି ପଞ୍ଚାୟତର ରିନାବାଳା ସାମଲଙ୍କ ସ୍ୱାମୀ ଜଣେ ପଞ୍ଚାୟତର ଜନପ୍ରତିନିଧି ଥିଲେ । ମାତ୍ର ତାଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଆସିଥିବା ଅର୍ଥ ମଧ୍ୟ ହଡ଼ପ ହୋଇଥିବା ସେ ଅଭିଯୋଗ କରିଛନ୍ତି ।
ଏ ନେଇ ଯୋଗ୍ୟ ହିତାଧିକାରୀ ଆରତୀ ବାହାଲ କହିଛନ୍ତି, " ହରିଶ୍ଚନ୍ଦ୍ର ଯୋଜନାରେ ଆମ ୩ ଜଣଙ୍କ ନାମରେ ଆସିଛି । ହେଲେ ଆମେ ଜଣଙ୍କର ବି ପାଇନାହୁଁ । ମୋ ସ୍ବାମୀ ଗତ ୧ ବର୍ଷ ହେଲା ଚାଲିଯାଇଥିବା ବେଳେ ତାଙ୍କ ଟଙ୍କା ମଧ୍ୟ ମୋତେ ମିଳିନାହିଁ । ଏହି ଅର୍ଥକୁ ବାଟମାରଣା କରାଯାଉଛି । ଯେଉଁମାନେ ଏଥିରେ ଜଡ଼ିତ ରହିଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଫଳରେ ଆଗକୁ ଏପରି ଦୁର୍ନୀତି ଯେପରି ଆଉ ହେବ ନାହିଁ ।