ଓଡିଶା

odisha

ETV Bharat / state

ବନୀକରଣ ନାଁରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଯାଜପୁର ଜିଲ୍ଲାର ଦାନଗଦୀ ବ୍ଲକ ଅନ୍ତର୍ଗତ ତ୍ରିଜଙ୍ଗା ଓ ଧୂଳିଗଡ ପଞ୍ଚାୟତରେ ପଥପାର୍ଶ୍ବ ଏବଂ ଖୋଲାପଡିଆରେ ବନୀକରଣରେ ନାଁରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । କେବଳ ଦାନଗଦୀ ବ୍ଲକ୍ ଅଞ୍ଚଳ ନୁହେଁ ସବୁଠି ପ୍ରାୟ ଏକା ଅବସ୍ଥା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

By

Published : Jan 20, 2021, 11:04 PM IST

extensive corruption allegations in the name of afforestation in  jajpur
ଯାଜପୁର ଜିଲ୍ଲାର ଦାନଗଦୀ ବ୍ଲକ ବନୀକରଣ ନାଁରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଯାଜପୁର:ବନୀକରଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଅନେକ ସ୍ଥାନରେ କେବଳ କାଗଜପତ୍ରରେ ବନୀକରଣ କରାଯାଇଥିବା ଦେଖିବାକୁ ମିଳିଛି । ବନୀକରଣ ଏବଂ ରକ୍ଷଣାବେକ୍ଷଣ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ବାସ୍ତବ କ୍ଷେତ୍ରରେ କାଗଜପତ୍ରରେ ଚାଲିଛି ବନୀକରଣ ପ୍ରକ୍ରିୟା । କେଉଁଠି ଗଛର ସୁରକ୍ଷା ପାଇଁ ବାଡ ଲାଗିଛି କିମ୍ବା ଟ୍ରି ଗାର୍ଡ ପୋତାଯାଇଛି, ହେଲେ ଗଛ ଦେଖିବାକୁ ମିଳୁନି ତ ଆଉ କେଉଁଠି ଗଛ ଲାଗିଛି କିନ୍ତୁ, ଏହାର ବାଡବତା କି ଟ୍ରି ଗାର୍ଡ ମଧ୍ୟ ନାହିଁ । ଯାହାର ଏକ ସ୍ପଷ୍ଟ ନମୁନା ଦେଖିବାକୁ ମିଳିଛି ଯାଜପୁରର ଦାନଗଦୀ ବ୍ଲକ ତ୍ରିଜଙ୍ଗା ଓ ଧୂଳିଗଡ ଅଞ୍ଚଳରେ ।

ଯାଜପୁର ବନୀକରଣ ନାଁରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ମିଳିଥିବା ତଥ୍ୟ ଅନୁଯାୟୀ ଯାଜପୁର ଜିଲ୍ଲାର ଦାନଗଦୀ ବ୍ଲକ ଅନ୍ତର୍ଗତ ତ୍ରିଜଙ୍ଗା ଓ ଧୂଳିଗଡ ପଞ୍ଚାୟତରେ ପଥପାର୍ଶ୍ୱ ଏବଂ ଖୋଲାପଡିଆରେ ବୃକ୍ଷରୋପଣ କରାଯାଇଛି । ମାତ୍ର 2018-19 ମସିହାରେ ଏହି ରାମ୍ପିଲୋ ସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟ ପରିସରରେ ଲାଗିଥିବା ଗଛର ତାଲିକା ଓ ତଥ୍ୟ, ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହେବା ପରେ ଏହି ଦୁର୍ନିତି ଏବେ ପଦାକୁ ଆସିଛି । ଏଠାରେ ବୃକ୍ଷରୋପଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ 16 ଲକ୍ଷ 58 ହଜାର 8 ଶହ ଟଙ୍କାର ଅନୁଦାନ ମିଳିଥିଲା । ମାତ୍ର ଗଛ ଗୁଡିକ କେଉଁଆଡେ ଉଭାନ୍ ହୋଇଗଲା । ସେହିପରି 2018-19 ଓ 2019-20 ବର୍ଷ ପାଇଁ ଦାନଗଦୀ ବ୍ଲକର 6ଟି ସ୍ଥାନରେ ବୃକ୍ଷରୋପଣ ପାଇଁ 1 କୋଟି 14 ଲକ୍ଷ 78 ହଜାର 963 ଟଙ୍କା ଖର୍ଚ୍ଚ ହେବାକୁ ଅର୍ଥ ମଞ୍ଜୁର ହୋଇଥିଲା । ମାତ୍ର ଗଛ ଯେଉଁ ଅନୁପାତରେ ଲଗାଯିବା କଥା ତାହାର ବାସ୍ତବ ଚିତ୍ର କିନ୍ତୁ, ଓଲଟା ହୋଇଛି । ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ହିଁ ଏହାର ପ୍ରମାଣ ଦେଉଛି । ବୃକ୍ଷରୋପଣ ଏବଂ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ମଧ୍ୟ ଯାଜପୁର ରୋଡ ବନବିଭାଗ ଉପରେ ନ୍ୟସ୍ତ ରହିଛି । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ସତ ଏହାର ସଠିକ୍ ହିସାବ ମିଳୁନି । ଏଠି କେବଳ ଚାଲିଛି ହରିଲୁଟ୍ । ବୃକ୍ଷରୋପଣ ଏବଂ ଏହାର ରକ୍ଷଣାବେକ୍ଷଣ ବାବଦରେ ଅନେକ ଅର୍ଥ ଆତ୍ମସାତ୍ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଯାର ମୁକସାକ୍ଷୀ ହେଉଛନ୍ତି ଏହି ସ୍ଥାନୀୟ ଅଞ୍ଚଳର ଅଧିବାସୀ । ଗଛକୁ ପାଣି ଟୋପେ ମିଳିବାର ସମ୍ଭାବନା ନଥିବା ବେଳେ ଏହା କେମିତି ବଞ୍ଚିବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା ।

କେବଳ ଦାନଗଦୀ ବ୍ଲକ୍ ଅଞ୍ଚଳ ନୁହେଁ ସବୁଠି ପ୍ରାୟ ଏକା ଅବସ୍ଥା ଦେଖିବାକୁ ମିଳିଛି । ଜିଲ୍ଲାର ବିଞ୍ଝାରପୁର, ଦଶରଥପୁର, ବରୀ, ଯାଜପୁର ଓ ଧର୍ମଶାଳା ଆଦି ବିଭିନ୍ନ ବ୍ଲକରେ ଚଳିତ ବର୍ଷ ଏବଂ ଗତବର୍ଷର ବୃକ୍ଷରୋପଣ ଏବଂ ରକ୍ଷଣାବେକ୍ଷଣ ବାବଦକୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ଯେଉଁଥିରେ ଲକ୍ଷ ଲକ୍ଷ ଚାରା ଗଛ ଲଗାଯିବାକୁ ସ୍ଥିର ହୋଇଥିଲା । ହେଲେ କୁଆଡେ ଗଲା ସେ ଗଛ, ଯାହାର ସଠିକ୍ ହିସାବ୍ ଖୋଜିଲେ ବି ମିଳୁନାହିଁ । ଦାନଗଦୀ ବ୍ଲକ୍ ଅଞ୍ଚଳରେ ଚାଲିଥିବା ଗଛଲଗା ଅଭିଯାନକୁ ନେଇ ଆମେ ଭେଟିଥିଲୁ ସମ୍ପୃକ୍ତ ଅଞ୍ଚଳ ଅନ୍ତର୍ଭୁକ୍ତ ଥିବା ଯାଜପୁର ରୋଡ୍ ବନବିଭାଗର ବନଖଣ୍ଡ ଅଧିକାରୀଙ୍କୁ । ତାଙ୍କ କହିବା ଅନୁଯାୟୀ, ଯେଉଁ ଗଛଗୁଡିକ ଲଗାଯାଇଥିଲା ସେଥିରୁ କିଛି ଗଛ ମରିଯାଇଛି । ତେବେ ହିସାବ ଅନୁସାରେ ଗଛ ଠିକ୍ ଲାଗିଛି । ଏଭଳି ଅଭିଯୋଗରେ କୌଣସି ସତ୍ୟତା ନାହିଁ ।

ହେଲେ ଅଧିକାରୀଙ୍କ ସଫେଇକୁ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ମାତ୍ର ବାସ୍ତବ ସ୍ଥିତି କଣ ତାହା କାହାକୁ ବି ଅଛପା ନାହିଁ । ତେଣୁ, ଏଭଳି ଅନିୟମିତତା ଓ ଦୁର୍ନୀତିକୁ ରୋକିବା ପାଇଁ ଠୋସ୍ ପଦକ୍ଷେପ ନିହାତି ଆବଶ୍ୟକ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details