ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତର ବାମଦେବପୁର ଗାଁରେ ଘଟିଥିବା ନିର୍ବାଚନୀ ହିଂସା ଓ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରକାଶ ପାଇଛି ପ୍ରତିକ୍ରିୟା । ସାମ୍ବାଦିକ ମାନେ ଭିନ୍ନଭିନ୍ନ ସ୍ଥାନରେ ପ୍ରତିକ୍ରିୟା ପ୍ରଦର୍ଶନ କରିଛନ୍ତି । ସାମ୍ବାଦିକ, ଆଇନଜୀବୀ ଓ ବୁଦ୍ଧିଜୀବୀ ଓ ବିଭିନ୍ନ ରାଜନୈତିକ ସଂଗଠନ ଘଟଣାର ତୀବ୍ର ନିନ୍ଦା କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ଯାଜପୁର ଏସପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବିଞ୍ଝାରପୁର ପୋଲିସ୍ ଏହି ଘଟଣାରେ 6 ଜଣ ମହିଳାଙ୍କ ସମେତ 11 ଜଣଙ୍କୁ ଗିରଫ୍ କରି କୋର୍ଟଚାଲାଣ କରିଥିବା ଯାଜପୁର ଏସପି ସୂଚନା ଦେଇଛନ୍ତି । ଥାନରେ ମଧ୍ୟ 30ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ବିଞ୍ଝାରପୁରର ବାଛୋଳ ପଞ୍ଚାୟତର 2 ନମ୍ବର ଓ 4 ନମ୍ବର ବୁଥରେ ବୁଥ ଜବରଦଖଲ ଚାଲିଥିବାବେଳେ ଖବର ସଂଗ୍ରହ ପାଇଁ ଯାଇଥିବା 3 ଜଣ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା ।
ଏହି ଆକ୍ରମଣରେ ବୈଦ୍ୟୁତିକ ଗଣମାଧ୍ୟମର ତିନି ଜଣ ସାମ୍ବାଦିକ ଆହତ ହୋଇଥିଲେ । ଘଟଣାସ୍ଥଳରୁ ପୋଲିସ ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲା । ଆହତଙ୍କ ମଧ୍ୟରେ ଗୁଲସନ୍ ନବାଜ୍ ଅଲ୍ଲୀ ଖାଁ ନାମକ ଜଣେ ସାମ୍ବାଦିକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାବେଳେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି ।