ଭୁବନେଶ୍ବର/ଯାଜପୁର: ଯାଜପୁର ରୋଡ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ରେ କଟି ୬ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସମସ୍ତ ୬ ମୃତକଙ୍କ ପରିବାରୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ମିଳିବ ।
ପ୍ରକାଶ ଥାଉ କି, ଆଜି ଅପରାହ୍ନରେ ଯାଜପୁରରେ ଘୂର୍ଣ୍ଣିଝଡ଼ ବର୍ଷା ଲାଗି ରହିଥିଲା । ଏଥିରୁ ରକ୍ଷା ପାଇବା ପାଇଁ ଯାଜପୁର ରୋଡ ରେଳ ଷ୍ଟେସନ ଚୂନଭାଟି ପ୍ଲଟ ନିକଟରେ କିଛି ଶ୍ରମିକ ରେଳ ଧାରଣାରେ ରହିଥିବା ଏକ ଇଞ୍ଜିନ ବିହୀନ ୧୨ଟି ବଗି ବିଶିଷ୍ଟ ମାଲବାହୀ ଟ୍ରେନ ତଳେ ଆଶ୍ରୟ ନେଇଥିଲେ । ବର୍ଷା ପବନ ପ୍ରଭାବରେ ହଠାତ ମାଲ ଗାଡ଼ିଟି ୫୦୦ ମିଟର ଗଡି ଯାଇଥିଲା । ଘୂର୍ଣ୍ଣିଝଡ଼ ବର୍ଷାରୁ ବର୍ତ୍ତିବା ପାଇଁ ଏହାର ତଳେ ଆଶ୍ରୟ ନେଇଥିବା ଶ୍ରମିକମାନଙ୍କ ଉପରେ ଚଢି ଯାଇଥିଲା ମାଲ ଗାଡ଼ି । ଫଳରେ ଘଟଣା ସ୍ଥଳରେ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଏଥିରେ ୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଖବର ପାଇ ସ୍ଥାନୀୟ ଯୁବକ ଗୁରୁତର ୨ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଦୁର୍ଘଟଣାରେ ଆହତ ୨ ଜଣଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଘଟଣା ସ୍ଥଳରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଏସପି ଭିନିତ ଅଗ୍ରୱାଲ, ବିଧାୟକ ଅଶୋକ କୁମାର ବଳ, ରେଳ ବିଭାଗର ଡିଆରଏମ ରିଙ୍କେଶ ରାୟ ଓ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି l
ତେବେ କ୍ରମାଗତ ଭାବେ ରାଜ୍ୟରେ ରେଳ ଦୁର୍ଘଟଣା ଘଟି ଚାଲିଛି । ଗୋଟିଏ ପଟେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ବାରମ୍ବାର ଟ୍ରେନ ଦୁର୍ଘଟଣା ଖବର ସମସ୍ତଙ୍କୁ ଆନ୍ଦୋଳିତ କରିଛି । ଗତ ୬ ଦିନ ମଧ୍ୟରେ ରାଜ୍ୟରେ ୩ଟି ରେଳ ଦୁର୍ଘଟଣା ଘଟିଲାଣି । ଗତ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ତ୍ରିକୋଣୀୟ ରେଳ ଦୁର୍ଘଟଣା ଘଟିଥଲା । ସରକାରୀ ତଥ୍ୟ ଅନୁସାରେ ଏହି ଦୁର୍ଘଟଣାରେ ମୋଟ ୨୮୮ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିଲେ । ଗତ ସୋମବାର ବରଗଡ଼ରେ ପୁଣି ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଏଥିରେ କେହି ମୃତାହତ ହୋଇନଥିଲେ । ଆଜି ପୁଣି ଯାଜପୁରରେ ଏହି ଦୁର୍ଘଟଣା ସାମ୍ନାକୁ ଆସିଛି । ଗତକାଲି ମଧ୍ୟ ବ୍ରହ୍ମପୁର ଷ୍ଟେସନ୍ରେ ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସ୍ରେ ସଟ୍ ସର୍କିଟ୍ କାରଣରୁ ନିଆଁ ଲାଗିଥିବା ଖବର ଆସିଥିଲା ।
ଇଟିଭି ଭାରତ, ଭୁବନେଶ୍ବର ଓ ଯାଜପୁର