ଯାଜପୁର: ଫେଲ ମାରିଛି 5'ଟି' ସଚିବଙ୍କ ଗସ୍ତ ଓ 'ମୋ ସରକାର’ ଯୋଜନା । ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡ ସ୍ବାସ୍ଥ୍ୟକେନ୍ଦ୍ରରେ । ଏହି ପ୍ରତିବାଦରେ ମେଡିକାଲ ପରିସରରେ ଉତେଜନା ପରିସ୍ଥିତି ଦେଖିବାକୁ ମିଳିଛି । ଡାକ୍ତରଙ୍କ ଅବହେଳାରୁ ୩ ଦିନର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଶୁଣିଲେନି ଡାକ୍ତର, ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ ଅଭିଯୋଗ ମୁତାବକ, ଜେନାପୁର ଥାନା ପନ୍ତୁରୀ ଗ୍ରାମର ସୁର ମଲ୍ଲିକ ତାଙ୍କ ପତ୍ନୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଗତ ୧୮ ତାରିଖ ଦିନ ତାଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେହିଦିନ ମଧ୍ୟରାତ୍ରିରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ସେଦିନ ସବୁକିଛି ଠିକ୍ ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ହଠାତ୍ ଶିଶୁଟି ଅସୁସ୍ଥ ହୋଇପଡିଥିଲା ।
ତେବେ ଶିଶୁର ସ୍ବାସ୍ଥ୍ୟବସ୍ଥା ଖରାପ ହେବା ଦେଖି ପରିବାର ଲୋକେ ଡାକ୍ତରଙ୍କୁ ଡାକିଥିଲେ । ହେଲେ ସେହି ସମୟରେ ଡ୍ୟୁଟିରେ ଥିବା ଡାକ୍ତର ଦେବାଶିଷ ସାହୁ ଶିଶୁଟିକୁ ଡାକ୍ତର ପୁଲ୍ଲକରଞ୍ଜନ ମଲ୍ଲିକଙ୍କୁ ଦେଖାଇବାକୁ କହିଥିଲେ । ମାତ୍ର ସେହି ସମୟରେ ଡାକ୍ତର ପୁଲ୍ଲକରଞ୍ଜନ ମେଡିକାଲରେ ଉପସ୍ଥିତ ନଥିବାରୁ ଶିଶୁର ପରିବାର ଲୋକେ ଡାକ୍ତରଙ୍କ ଘରକୁ ଯାଇ ତାଙ୍କୁ ଡାକିଥିଲେ । ହେଲେ ଡାକ୍ତର ନ ଶୁଣିବାରୁ ସେଠାରୁ ନିରାଶ ହୋଇ ଫେରିଥିଲେ ପରିବାର ।
ସୋମବାର ସକାଳୁ ପରିବାର ଲୋକେ ଶିଶୁଟିକୁ ନେଇ ସେହି ଡାକ୍ତରଙ୍କ ପାଖକୁ ଯାଇଥିବା ବେଳେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ତେବେ ଡାକ୍ତରଙ୍କ ଏଭଳି ଅବହେଳା କାରଣରୁ ଶିଶୁ ପୁତ୍ରଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ସମ୍ପୃକ୍ତ ଡାକ୍ତର ଓ ମେଡିକାଲ କତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କାହାରି ପ୍ରତିକ୍ରିୟା ମିଳିପାରିନାହିଁ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ