ଓଡିଶା

odisha

By

Published : Mar 17, 2022, 9:11 PM IST

ETV Bharat / state

ଯାଜପୁର ପୌରପାଳିକା ହାତେଇବାକୁ ପ୍ରାର୍ଥିନୀଙ୍କ କସରତ, ପରିବର୍ତ୍ତନ ଆଶାରେ ବିରୋଧୀ

ଯାଜପୁର ଜିଲ୍ଲାରେ ରାଜନୀତି ସରଗରମ ରହିଛି । ୩ ପ୍ରମୁଖ ଦଳର ପ୍ରାର୍ଥିନୀମାନେ ପୌରାଧ୍ୟକ୍ଷ ଆସନ ହାତେଇବାକୁ ଜୋରସୋରରେ ଚଳାଇଛନ୍ତି ପ୍ରଚାର । ଅଧିକ ପଢ଼ନ୍ତୁ

ଯାଜପୁର ପୌରପାଳିକା ହାତେଇବାକୁ ପ୍ରାର୍ଥିନୀଙ୍କ କସରତ, ପରିବର୍ତ୍ତନ ଆଶାରେ ବିରୋଧୀ
ଯାଜପୁର ପୌରପାଳିକା ହାତେଇବାକୁ ପ୍ରାର୍ଥିନୀଙ୍କ କସରତ, ପରିବର୍ତ୍ତନ ଆଶାରେ ବିରୋଧୀ

ଯାଜପୁର: ପୌର ନିର୍ବାଚନ ବିଗୁଲ ବାଜି ସାରିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ହାତରେ ଆଉ ଦିନ କେତେ ବାକି ରହିଛି । ଏହାରି ମଧ୍ୟରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ ପାଇଛି । ପୌର ନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଏଥିରୁ ବାଦ ପଡ଼ିନି ଯାଜପୁର । ଯାଜପୁର ପୌରପାଳିକା ଆସନ ହାତେଇବାକୁ ପ୍ରମୁଖ ଦଳମାନେ ଆରମ୍ଭ କରିଛନ୍ତି ନାନା କସରତ ।

ଯାଜପୁର ପୌରପାଳିକା ହାତେଇବାକୁ ପ୍ରାର୍ଥିନୀଙ୍କ କସରତ, ପରିବର୍ତ୍ତନ ଆଶାରେ ବିରୋଧୀ

୧୫୦ ବର୍ଷର ପୁରୁଣା ଯାଜପୁର ପୌରାଞ୍ଚଳ । ଏଠି ରହିଛି ୧୮ଟି ୱାର୍ଡ । ଦୀର୍ଘ ବର୍ଷ ଏହି ପୌରପାଳିକାରେ ରାଜ୍‌ କରୁଛି ଶାସକ ଦଳ ବିଜେଡି । ଏଥିପାଇଁ ସବୁ ରାଜନୈତିକ ଦଳର ଫୋକସରେ ରହିଛି ଯାଜପୁର ପୌରାଞ୍ଚଳ । ପୌରାଧ୍ୟକ୍ଷ ଆସନ ହାତେଇବାକୁ ସବୁ ଦଳ ନିଜର ରଣ କୌଶଳ ଆପଣେଇ ଦିନ ରାତି କସରତ ଆରମ୍ଭ କରିଦେଇଛନ୍ତି । ଚଳିତ ନିର୍ବାଚନରେ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କୁ ସିଧାସଳଖ ଭୋଟ ଦେବେ ଭୋଟର ।

ପୌରାଧ୍ୟକ୍ଷ ଆସନଟି ଚଳିତ ଥର ମହିଳାମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ବିଜେପି ପକ୍ଷରୁ ଜ୍ୟୋର୍ତିମୟୀ ଦ୍ବିବେଦୀ ପ୍ରାର୍ଥିନୀ ହୋଇଛନ୍ତି । ସେ ପୂର୍ବରୁ ସିଧାସଳଖ ରାଜନୀତିରେ ନଥିଲେ ସୁଦ୍ଧା ସେ ଏକ ରାଜନୈତିକ ପରିବାରରୁ ଆସି ନିର୍ବାଚନରେ ଲଢ଼ୁଛନ୍ତି । କେନ୍ଦ୍ରସରକାରଙ୍କ ସଫଳତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଆଧାର କରି ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ।

ସେପଟେ କଂଗ୍ରେସ ମଧ୍ୟ ପୌରାଧ୍ୟକ୍ଷ ଦୌଡ଼ରେ ପଛରେ ପଡିନାହିଁ । ଦଳ ପକ୍ଷରୁ ଜଣେ ଉଚ୍ଚ ଶିକ୍ଷିତାଙ୍କୁ ପ୍ରାର୍ଥିନୀ କରାଯାଇଛି । ପ୍ରିୟଦର୍ଶିନୀ ସାମନ୍ତଙ୍କୁ ପୌରାଧ୍ୟକ୍ଷ ପ୍ରାର୍ଥିନୀ କରି ନିର୍ବାଚନୀ ମୈଦାନକୁ ଓହ୍ଲାଇଛି କଂଗ୍ରେସ । ଲୋକଙ୍କ ସ୍ବାର୍ଥ ଓ ପ୍ରଗତିର ବାର୍ତ୍ତା ନେଇ ସେ ଭୋଟ ଭିକ୍ଷା କରୁଛନ୍ତି ।

ଯାଜପୁର ପୌରପାଳିକାକୁ ଦୀର୍ଘ ବର୍ଷ ଅକ୍ତିଆରରେ ରଖି ଆସିଛି ବିଜେଡି । ଗତ ପୌର ନିର୍ବାଚନରେ ଏଠାରେ ୧୮ରୁ ୧୮ କାଉନସିଲର ଆସନରେ ବିଜୟୀ ହୋଇଥିଲା ବିଜେଡି । ସେହିସମୟରେ କେତେକ କଂଗ୍ରେସ ଓ ବିଜେପି କାଉନସିଲର ପ୍ରାର୍ଥୀ ନାମାଙ୍କନପତ୍ର ମଧ୍ୟ ପ୍ରତ୍ୟାହାର କରି ନେଇଥିଲେ । ଏଠାରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ନେଇ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥିନୀ ।

ବିଜେଡି ପକ୍ଷରୁ ଜଣେ ସ୍ବୟଂ ସହାୟିକ ଗୋଷ୍ଠୀର ସଦସ୍ୟ ରଞ୍ଜୁଲତାଙ୍କୁ ପ୍ରାର୍ଥିନୀ କରାଯାଇଛି । ତା ସହିତ ୧୮ଟି କାଉନସିଲର ଆସନ ମଧ୍ୟରୁ ୧୬ଟି ଆସନରେ ବିଜେଡି ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିଛି । ଏଥର ମଧ୍ୟ ଏଠାରେ ବିଜେଡି ବିଜୟୀ ହେବ ବୋଲି ସ୍ଥାନୀୟ ଲୋକ ମତ ରଖିଛନ୍ତି । ସେପଟେ ସିଧା ସଳଖ ପୌରାଧ୍ୟକ୍ଷ ନିର୍ବାଚନ ହେଉଥିବାରୁ ପରିବର୍ତ୍ତନ ଆଶା କରୁଛନ୍ତି ବିଜେଡି ଓ କଂଗ୍ରେସ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details