ଓଡିଶା

odisha

By

Published : Nov 1, 2019, 6:55 PM IST

ETV Bharat / state

ସ୍ମିତାରାଣୀଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧି ଦଳ, ସିବିଆଇ ତଦନ୍ତ ଦାବି

ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁରୁ ପରଦା ହଟୁନଥିବାବେଳେ ତାଙ୍କ ପରିବାରକୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ । ପରିବାରକୁ ଭେଟିବା ସହ ଆଗାମୀ ବିଧାନସଭାରେ ଏହାକୁ ଉପସ୍ଥାପନ କରାଯିବ ବୋଲି କହିଛି ଦଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁର 15 ଦିନ ପରେ ବି ରହସ୍ୟ ଉପରୁ ପରଦା ହଟୁନି । ପୋଲିସ ଏହାକୁ ପ୍ରେମଜନୀତ ଆତ୍ମହତ୍ୟା କହିଥିବାବେଳେ ଏହାକୁ ମାନିବାକୁ ନାରାଜ ସ୍ମିତାରାଣୀଙ୍କ ପରିବାର ସମେତ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ଗତକାଲି(ଗୁରୁବାର) ନ୍ୟାୟ ଦାବିରେ କଂଗ୍ରେସ ରାଜଭବନ ଘେରାଉ କରିଥିବାବେଳେ ଆଜି(ଶୁକ୍ରବାର) ବିଜେପି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ତାଙ୍କ ପରିବାରକୁ ଭେଟିଛନ୍ତି ।

ମୃତ ସ୍ମିତାରାଣୀଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧି ଦଳ, ସିବିଆଇ ତଦନ୍ତ ଦାବି

ବିଜେପି ପ୍ରତିନିଧି ଦଳ ସ୍ମିତାରାଣୀଙ୍କ ବାପାଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଏହାପରେ ସ୍ମିତାରାଣୀଙ୍କ ବାପା ଏହି ଘଟଣାରେ ବିଜେପି ପ୍ରତିନିଧି ଦଳର ସହାୟତା ମାଗିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଦାବି କରିଥିଲେ । ସ୍ଥାନୀୟ ପୋଲିସର ତଦନ୍ତ ଉପରେ ଭରସା ନାହିଁ ଏବଂ ବିଭିନ୍ନ ଆଡୁ ଆସୁଥିବା ମାନସିକ ଚାପ ଯୋଗୁଁ ସ୍ମିତାରାଣୀଙ୍କ ବାପା ନିଜ ଗାଁ ଛାଡିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ । ସେ ନିଜକୁ ଅସୁରକ୍ଷିତ ମଣୁଥିବା କହିବା ସହ ଘଟଣାର ସିବିଆଇ ଦାବିକୁ ଦୋହରାଇଥିଲେ । ଏପଟେ ସ୍ମିତାରାଣୀଙ୍କ ସ୍ବାମୀ ସୁଶୀଳ ଏହି ଘଟଣାର ତଦନ୍ତ ସିବିଆଇ ମାଧ୍ୟମରେ କରାଯାଉ ଏବଂ ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସାମିଲ ଥିବାର ଅଭିଯୋଗ କରିଥିଲେ ।

ପରିବାରକୁ ଭେଟିବା ଅବସରରେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା ଆଗାମୀ ବିଧାନସଭାରେ ଉପସ୍ଥାପନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟିକରଣ ମଗାଯିବ ବୋଲି ବିଜେପି କହିଛି । ଏହାସହ ଯଦି ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ନ ମିଳେ ବିଧାନସଭାକୁ ଅଚଳ କରାଯିବ ବୋଲି ଦଳ ଚେତାବନୀ ଦେଇଛି । ସେହିପରି ରାଜ୍ୟ ପୋଲିସ ହେଉ ଅବା କ୍ରାଇମବ୍ରାଞ୍ଚ ତଦନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବାରୁ ତଦନ୍ତ ଉପରେ ଭରସା ନାହିଁ, ସେଥିପାଇଁ ସିବିଆଇ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ବିଜେପି କହିଛି । ଏହା ସହ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମଧ୍ୟ ବିଜେପି ପ୍ରତିଶୃତି ଦେଇଛି ।

ଗସ୍ତ ଅବସରରେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିବା ଗେଷ୍ଟ ହାଉସକୁ ନିକଟକୁ ମଧ୍ୟ ଯାଇଥିଲା ବିଜେପି ପ୍ରତିନିଧି ଦଳ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details