ଯାଜପୁର: ‘ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ପଦୁ ଗଳୁଛି ମକରନ୍ଦ; ସେ ମକରନ୍ଦ ପାନ କରି, ହେଳେ ତରିଲେ ବ୍ରଜ ନାରୀ ।’ ଏହି ପଂକ୍ତିଟି ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତର I ଘରେ ଘରେ ପରିଚିତ ଏହି ଓଡ଼ିଆ ଭାଗବତ । ପ୍ରତିଦିନ ମନ୍ଦିରଠାରୁ ଆରମ୍ଭ କରି ପ୍ରାୟ ସମସ୍ତଙ୍କ ଘରେ ଘରେ ପାଠ କରାଯାଏ ଏହି ଭାଗବତ । କୁହାଯାଏ ଯେ ଭାଗବତ ପାଠ କରେ ତାକୁ ଯେତିକି ପୁଣ୍ୟ ମିଳେ, ତା’ଠାରୁ ଢେର ଅଧିକ ତାଙ୍କୁ ମିଳେ ଯିଏ ଏହାକୁ ଶ୍ରବଣ କରନ୍ତି । ଭାଗବତ ପାଠରେ ନଥାଏ କୌଣସି ବୟସ ବାଧକ । ତେବେ ଯାଜପୁର ବ୍ରହ୍ମବରଦାର ଏକ କୁନି ବାଳକ ଅନର୍ଗଳ ଗାଇ ଚାଲିଛି ଭାଗବତର ପଂକ୍ତି ସବୁ । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ।
ବୟସ ମାତ୍ର 6 ବର୍ଷ । ପାଟିରେ ଭଲ ଭାବେ କିଛି ଶବ୍ଦର ଉଚ୍ଚାରଣ କଷ୍ଟ ହେଲେ ବି ଭାଗବତ ଗାଉଛି ଅନର୍ଗଳ । ଏକଥା ବିଶ୍ବାସ ନହେଲେ ବି ସତ । ଖେଳିବା ବୁଲିବା ବୟସରେ ଏପରି ଆଧ୍ୟାତ୍ମିକ ଭାବ ତଥା ଭାଗବତ ପଢ଼ିବାର ନିଶା ଆଜି ତାଙ୍କୁ ଦେଇଛି ଏକ ନୂଆ ପରିଚୟ । ଯାଜପୁର ବ୍ରହ୍ମବରଦା ନିକଟସ୍ଥ ବାଘସାହି ଗ୍ରାମର ଅଶୋକ କୁମାର ପାଢ଼ୀ ଓ ମନୋଜ ମଞ୍ଜରୀ ପାଢ଼ୀଙ୍କର ଜ୍ୟୋଷ୍ଠ ପୁତ୍ର ବିରଜା ଶଙ୍କର ପାଢ଼ୀ । ନିଜ ଆଈଙ୍କ ପ୍ରେରଣାରେ ଶୈଶବରୁ ଭାଗବତ ପ୍ରତି ବିରଜାଙ୍କର ବଢିଛି ରୁଚି ।ଆଈଙ୍କ ପାଖରେ ରହି ବିରଜା ଶୁଣି ଶୁଣି ଭାଗବତ ମନେ ରଖିଛନ୍ତି ବୋଲି କୁହନ୍ତି I