ଓଡିଶା

odisha

ETV Bharat / state

ବରୀ ବିଧାନସଭା: ଏଥର ନୂଆ-ପୁରୁଣାଙ୍କ ମଧ୍ୟରେ ଲଢେଇ - bjd

ପୁରୁଣା ମୈଦାନରେ ଲଢିବେ ନବାଗତା। ଏଭଳି ସ୍ଥିତି ଦେଖିବାକୁ ମିଳିଛି ବରୀ ନିର୍ବାଚନମଣ୍ଡଳୀରେ। ସବୁ ଦଳର ନୂଆ ପ୍ରାର୍ଥୀ 2019 ନିର୍ବାଚନ ଲଢିବା ପାଇଁ ମୈଦାନକୁ ଲମ୍ଫପ୍ରଦାନ କରିଛନ୍ତି।

ଡିଜାଇନ ଫଟୋ

By

Published : Apr 20, 2019, 2:07 PM IST

ଯାଜପୁର: ସଂଗ୍ରାମୀଙ୍କର ମାଟି ହେଉଛି ଯାଜପୁର ଜିଲ୍ଲାର ବରୀ । ଦେଶ ସ୍ବାଧୀନ ପାଇଁ ଏଇ ମାଟିରେ ଝାସ ଦେଇଥିଲେ ଅନେକ ସ୍ବାଧିନତା ସଂଗ୍ରାମୀ । ସେଥିପାଇଁ ବରୀ ବିଧାନସଭାର ରହିଛି ଏକ ସ୍ବତନ୍ତ୍ର ପରିଚୟ । ଏହି ନିର୍ବାଚନମଣ୍ଡଳୀରେ ଅବସ୍ଥିତ ରତ୍ନଗିରିରେ ରହିଛି ବୌଦ୍ଧ କୀର୍ତ୍ତିରାଜିର ଅପୂର୍ବ ସମ୍ଭାର । ଯାହାକି ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସୃଷ୍ଟି କରିପାରିଛି ସ୍ବତନ୍ତ୍ର ପରିଚୟ ।

ରାଜ୍ୟର 49 ନମ୍ବର ବିଧାନସଭା ଆସନ ହେଉଛି ବରୀ ଏବଂ ଏହା ଅଣସଂରକ୍ଷିତ ଆସନ । ବରୀ, ଯାଜପୁର ଏବଂ ରସୁଲପୁର ବ୍ଲକ୍‌କୁ ନେଇ ଗଠିତ ବରୀ ନିର୍ବାଚନମଣ୍ଡଳୀ । ଚଳିତ ଥର 2ଲକ୍ଷ 10ହଜାର 367ଜଣ ଭୋଟର ଏଥର ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଗତଥର 2014 ନିର୍ବାଚନରେ ବରୀ ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟା ଥିଲା 1ଲକ୍ଷ 91ହଜାର 167।

ବରୀର ଚର୍ତୁପାର୍ଶ୍ବରେ ଘେରି ରହିଛି ନଦନଦୀ। କୃଷି ହେଉଛି ଏ ଅଞ୍ଚଳର ଅଧିବାସୀଙ୍କର ମୁଖ୍ୟ ପେସା। ଶସ୍ୟଶ୍ୟାମଳା ବରୀ ଅଞ୍ଚଳର ଅଧିବାସୀଙ୍କ ରହିଛି ଅନେକ ସମସ୍ୟା। ଯାହା ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଥାଏ । ଏହାକୁ ଆୟୁଧ କରି ନିର୍ବାଚନ ବୈତରଣୀ ପାର ହେବା ଲକ୍ଷ୍ୟରେ ଥାନ୍ତି ସବୁଦଳ। ଏଥର ମଧ୍ୟ ସମାନ ସ୍ଥିତି ରହିଛି ଏଠାରେ। ବରୀ ମାଟିର ବିକାଶକୁ ମୁଦ୍ଦା ବନାଇ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ ।

ଏଠାକାର ନିର୍ବାଚନୀ ରଣାଙ୍ଗନରେ ଏଥର ଦେଖିବାକୁ ମିଳିଛି ପରିବର୍ତ୍ତନ। ମୈଦାନ ପୁରୁଣା, ହେଲେ ନୂଆ ପ୍ରତିଯୋଗୀଙ୍କ ମଧ୍ୟରେ ହେବ ଲଢେଇ। ଅର୍ଥାତ 2019 ନିର୍ବାଚନରେ ସବୁ ଦଳରୁ ନୂଆ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବାକୁ ଯାଉଛନ୍ତି । 2014ରେ ଏଠାରୁ ବିଜେପିର ପ୍ରାର୍ଥୀ ହୋଇଥିଲେ ନୀଳମଣି ସାମଲ । ହେଲେ ଏଥର ତାଙ୍କ ବଦଳରେ ବିଶ୍ବରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେହିପରି 2014ରେ କଂଗ୍ରେସରୁ ନିର୍ବାଚନ ଲଢିଥିବା ଗଗନ ଜେନାଙ୍କ ପରିବର୍ତ୍ତେ ଯୁବନେତା ଉମେଶ ଜେନାଙ୍କୁ ପ୍ରାର୍ଥୀ 2019 ନିର୍ବାଚନରେ ପ୍ରାର୍ଥୀ କରିଛି ଦଳ ।

ସବୁଠାରୁ ଅଦ୍ଭୂତପୂର୍ବ ପରିସ୍ଥିତି ଦେଖିବାକୁ ମିଳିଛି ବିଜେଡିରେ। ଦଳର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ତଥା ହେଭିୱେଟ ନେତା ଦେବାଶିଷ ନାୟକଙ୍କୁ ଏଥର ମିଳିନି ଟିକେଟ। ଗତ 2017 ପଞ୍ଚାୟତ ନିର୍ବାଚନରେ ବରୀ ବ୍ଲକର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବରୀ ବିଧାନସଭା ଆସନରୁ 2000, 2004, 2009 ଏବଂ 2014 ନିର୍ବାଚନରେ ଲଗାତାର 4 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ହୋଇଥିଲେ ଦେବାଶିଷ।

2014 ନିର୍ବାଚନରେ ସ୍ବାଧିନ ଭାବେ ଲଢିଥିବା ବିଶ୍ବରଞ୍ଜନ ମଲ୍ଲିକଙ୍କୁ ବିଜେଡି ପ୍ରାର୍ଥୀ ଦେବାଶିଷ ନାୟକ 6669 ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ନିର୍ବାଚନରେ ଦେବାଶିଷଙ୍କୁ ମିଳିଥିଲା 58, 891ଖଣ୍ଡ ଭୋଟ। ସେହିପରି ବିଶ୍ବରଞ୍ଜନଙ୍କୁ ମିଳିଥିଲା 52,222ଭୋଟ। ଅନ୍ୟପଟେ କଂଗ୍ରେସର ଗଗନ ଜେନାଙ୍କୁ 7682, ବିଜେପିର ନୀଳମଣି ସାମଲଙ୍କୁ ମିଳିଥିଲା 9123 ଖଣ୍ଡ ଭୋଟ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସେହିପରି ଭାବେ ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଚେହେରା ଭାବେ ଜଣାଶୁଣା ଶ୍ରୀକାନ୍ତ ଜେନା ମଧ୍ୟ ଏଠାରୁ ଲଗାତାର 3 ଥର ନିର୍ବାଚିତ ହୋଇ ସାରିଛନ୍ତି। 1977, 1980 ଏବଂ 1985 ନିର୍ବାଚନରେ ବରୀରୁ ସେତେବେଳର ଜନତା ଦଳ ଟିକେଟରେ ବିଧାୟକ ଭାବେ ରାଜ୍ୟ ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ ଶ୍ରୀକାନ୍ତ । କେବଳ ଥରେ ମାତ୍ର 1995 ହୋଇଥିବା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଚିନ୍ମୟ ପ୍ରସାଦ ବେହେରା ଏଠାରୁ ନିର୍ବାଚିତ ହୋଇଥିଲେ। ବିଗତ ଦିନରେ ହୋଇଥିବ ନିର୍ବାଚନୀ ଫଳାଫଳକୁ ଦେଖିଲେ ଏହା ସ୍ପଷ୍ଟ ଯେ ଏକ ଅଣକଂଗ୍ରେସ ଗଡ ଭାବେ ଏହି ନିର୍ବାଚନମଣ୍ଡଳୀ ପରିଚିତି ହୋଇସାରିଛି ।

ଏଥର ବରୀ ମାଟି ଦେଖିବ ତ୍ରୀକୋଣୀୟ ମୁକାବିଲା । 2019 ସଂଗ୍ରାମରେ କିଏ ଉଡାଇବ ବିଜୟବାନା ତାକୁ ନେଇ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ। ଗତଥର ଭଳି ଏଥର ବରୀ ନିର୍ବାଚନମଣ୍ଡଳୀ ଅଣକଂଗ୍ରେସ ପ୍ରାର୍ଥୀଙ୍କ ହାତରେ ରହିବ ନାଁ କଂଗ୍ରେସ ଏହି ଗଡରେ ଧସେଇ ପଶିବାରେ ସକ୍ଷମ ହେବ ତାହା ମେ 23 ତାରିଖରେ ସ୍ପଷ୍ଟ ହୋଇଯିବ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଈଟିଭି ଭାରତ

ABOUT THE AUTHOR

...view details