ଯାଜପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ପୁଣି ବନ୍ୟା ପରିସ୍ଥିତି (flood in Baitarani river) ସୃଷ୍ଟି ହୋଇଛି । ଫଳରେ ଯାଜପୁର ଜିଲ୍ଲାର ଦଶରଥପୁର, ଯାଜପୁର ଓ କୋରେଇ ବ୍ଲକ ପ୍ରଭାବିତ ହୋଇଛି । ତଳିଆ ଅଞ୍ଚଳରେ ବନ୍ୟାପାଣି ପଶି ଜଳବନ୍ଦୀ ସମସ୍ୟା (Water logging in Jajpur) ଦେଖାଦେଇଛି । ଫଳରେ ଲୋକଙ୍କ ଦୁର୍ଦ୍ଦଶା ଦ୍ବିଗୁଣିତ ବଢ଼ିଛି ।
ବୈତରଣୀର ଶାଖା ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇ ବିଭିନ୍ନ ଅଞ୍ଚଳକୁ ବନ୍ୟାଜଳ ପ୍ରବେଶ କରିଛି । ଆଖୁଆପଦା,ବଲ୍ଳଭିଘାଟ ଓ ଦଶରଥପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବୈତରଣୀର ଶାଖା କାଣୀ ନଦୀର ବ୍ରହ୍ମଚାରୀ ପାଟଣାରେ ମରାମତି ହୋଇଥିବା ଘାଇ ସ୍ଥାନରେ ପୁଣି 20 ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଦଶରଥପୁର ବ୍ଲକ କସପା, ମଲ୍ଲିକାପୁର ଓ ଦୁଦୁରାଅନ୍ତା ସମେତ 10ଟି ପଞ୍ଚାୟତର 100ରୁ ଉର୍ଦ୍ଧ୍ବ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି । ପ୍ରଥମ ବନ୍ୟାର ଦୁଃଖ ନ ଯାଉଣୁ ଦ୍ବିତୀୟ ଥର ପାଇଁ ବନ୍ୟାର ସାମ୍ନା କରିଛନ୍ତି ଅଞ୍ଚଳବାସୀ ।
ଏନେଇ ଅଞ୍ଚଳବାସୀ କହିଛନ୍ତି, "ବନ୍ୟା ଯୋଗୁଁ ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି । ବର୍ଷା ପୂର୍ବରୁ ସ୍ଥାୟୀ ମରାମତିର ଆବଶ୍ୟକତା ରହିଛି । ତରବରିଆ ଭାବେ କାମଚରା ମରାମତି କରାଯିବାରୁ ଏଭଳି ସମସ୍ୟା ଉପୁଜୁଛି । କାଣୀ ନଦୀରେଏକ ସ୍ବିଚ କେନାଲ ତିଆରି କରିବା ପାଇଁ ଦୀର୍ଘ ଦିନରୁ ଗ୍ରାମବାସୀ ଦାବି କରି ଆସୁଛନ୍ତି । ମୁହାଣ ମୁକୁଳା ରହିବା ହେତୁ ବନ୍ୟାଜଳ ବନ୍ଧ ଭାଙ୍ଗି ଗ୍ରାମରେ ପ୍ରବେଶ କରୁଛି ।" ସେପଟେ ଯାଜପୁର ବିଧାୟକ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି । ବନ୍ୟା ବିପନ୍ନମାନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ବିପନ୍ନମାନେ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଥିବା ବେଳେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ।