ଯାଜପୁର: ଓଡିଶାରେ ଏମଭି ଆକ୍ଟ-2019 ସାମୟିକ ସମୟ ପାଇଁ କୋହଳ ହୋଇଥିଲେ ହେଁ ଲୋକଙ୍କ ଭିତରେ ଯଥେଷ୍ଟ ସଚେତନତା ସୃଷ୍ଟି ହୋଇଛି । ଆରମ୍ଭ ଦିନଠାରୁ ହିଁ ଯାଜପୁରର ଚଣ୍ଡିଖୋଲ ଆରଟିଓ ଅଫିସରେ ଲମ୍ବା ଧାଡି ଲାଗୁଛି ।
ଗାଡି ପଞ୍ଜୀକରଣ, ଗାଡିର ଫିଟନେସ୍ ସାର୍ଟିଫିକେଟ୍ କିମ୍ବା ନିଜର ଡ୍ରାଇଭିଂ ଲାଇସେନ୍ସର ଆବେଦନ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇ ରହିଛନ୍ତି ଶହ ଶହ ଲୋକ । ନିୟମ ଲାଗୁ ହେବା ପରେ ଏବେ ପ୍ରାୟ 99 ପ୍ରତିଶତ ଲୋକେ ହେଲମେଟ୍ ଓ ସିଟ୍ ବେଲ୍ଟ ଲଗାଇବାକୁ ଭୁଲୁନାହାନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର ତେବେ ଯେଉଁମାନେ ବର୍ଷ ବର୍ଷ ଧରି ବିନା ଲାଇସେନ୍ସରେ ଗାଡି ଚଳାଉଥିଲେ ସେମାନେ ମଧ୍ୟ ନିଜର ଡ୍ରାଇଭିଂ ଲାଇସେନ୍ସ ଓ କାଗଜପତ୍ର କରିବା ପାଇଁ ସଚେତନ ହୋଇଛନ୍ତି । କିଏ 3 ଦିନ ତ କିଏ ଦୀର୍ଘ 4ଦିନ ଧରି ପ୍ରତିଦିନ ଆରଟିଓ ଅଫିସ୍ ଆଗରେ ଧାଡିରେ ଛିଡା ହୋଇ ରହୁଛନ୍ତି । ମୋଟର ଭେଇକିଲ୍ ଆକ୍ଟ-2019ର ଆମେଣ୍ଡମେଣ୍ଟ ପରେ ଏବେ ଲୋକଙ୍କ ଭିତରେ ଚେତା ପସିଛି ।
ସେପଟେ ଗତ 1 ତାରିଖରୁ ଏହି ନିୟମ ଲାଗୁ ହେବା ପରେ ପରେ ପୋଲିସ ପ୍ରଶାସନ ଏବଂ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଧରପକଡ ଅଭିଯାନ । ଆଇନ ଅବମାନନା କରୁଥିବା ଲୋକଙ୍କଠାରୁ ଜୋରିମାନା ମଧ୍ୟ ଆଦାୟ ହେଉଥିଲା । ତେବେ ଲୋକମାନେ କିପରି ତୁରନ୍ତ ଏବଂ ସୁରୁଖୁରୁରେ ସେମାନଙ୍କର ଗାଡି କାଗଜପତ୍ର ବା ଡ୍ରାଇଭିଂ ଲାଇସେନ୍ସ କରିପାରିବେ ସେଥିପାଇଁ ଅନଲାଇନ୍ ଆବେଦନ କରିବାକୁ ଦାବି ଜଣାଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ