ଯାଜପୁର: ରାଜ୍ୟ ବାହାରୁ ପ୍ରବାସୀମାନଙ୍କୁ ପ୍ରଥମେ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇ ସେମାନଙ୍କ ଯତ୍ନ ନିଆଯାଉଥିବା ବେଳେ ସେମାନଙ୍କ ସେବା ପାଇଁ ଦିନରାତି ଏକ କରି କାମ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀ । ହେଲେ ସମ୍ମାନ ଦେବା ବଦଳରେ କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ଆସିଛି । ଘଟଣାଟି ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁବଳ ଗ୍ରାମର । ଏଠାରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ସେବାରେ ନିୟୋଜିତ ଆଶାକର୍ମୀ ସଙ୍ଗୀତା ନାୟକଙ୍କୁ ପ୍ରବାସୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ମୁତାବକ ପ୍ରବାସୀଙ୍କ ସଂସ୍ପର୍ଶରେ ଆଶାକର୍ମୀ ଜଣଙ୍କ ଆସିବାରୁ ତାଙ୍କୁ ସନ୍ଦିଗ୍ଧ କହି ବାସନ୍ଦ କରିବାକୁ ପ୍ରବାସୀମାନେ ଗ୍ରାମବାସୀଙ୍କୁ ପ୍ରବର୍ତ୍ତାଇଥିଲେ । ଏନେଇ ଆଶାକର୍ମୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିବା ସେ ଜଣାଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ସେ ଦାବି କରିଛନ୍ତି ।