ଓଡିଶା

odisha

ETV Bharat / state

ଦିବ୍ୟାଙ୍ଗ ଦୁଇ ଭଉଣୀଙ୍କୁ ମିଳିଲା ମା’ର ପଣତ, କୋଳେଇ ନେଲେ ଆମେରିକୀୟ ଦମ୍ପତି - ଆମେରିକୀୟ ଦମ୍ପତିଙ୍କ ମହାନତା

ଦିବ୍ୟାଙ୍ଗ ବୋଲି ପର କଲା ପରିବାର । ରାସ୍ତାରେ ଦୁଇ ଭଉଣୀଙ୍କୁ ଦିନେ ଛାଡି ଚାଲିଯାଇଥିଲେ ଜନ୍ମକଲା ମା’ ବାପା । ହେଲେ ଆଜି ଏମାନଙ୍କୁ ଆଦରି ନେବା ପାଇଁ ସାତ ଦରିଆ ତେର ନଈ ପାର ହୋଇ ଆସିଛନ୍ତି ଆମେରିକୀୟ ଦମ୍ପତି ଏରିକ ଓ ପିଂଲିପ । ସୁଦୂର ଆମେରିକାରୁ ଯାଜପୁରରେ ଥିବା ନେସନ ଶିଶୁ ପରିଚର୍ଯ୍ୟା କେନ୍ଦ୍ରକୁ ଆସିଛନ୍ତି ଦମ୍ପତି । ଦେଖନ୍ତୁ ଏ ରିପୋର୍ଟ

ଆମେରିକୀୟ ଦମ୍ପତିଙ୍କ ମହାନତା:ଦିବ୍ୟାଙ୍ଗ ଦୁଇ ଭଉଣୀକୁ ପୋଷ୍ୟ ସନ୍ତାନ ଭାବେ କଲେ ଗ୍ରହଣ
ଆମେରିକୀୟ ଦମ୍ପତିଙ୍କ ମହାନତା:ଦିବ୍ୟାଙ୍ଗ ଦୁଇ ଭଉଣୀକୁ ପୋଷ୍ୟ ସନ୍ତାନ ଭାବେ କଲେ ଗ୍ରହଣ

By

Published : Aug 5, 2022, 5:31 PM IST

ଯାଜପୁର :ସମୟ ବଡ ବଳବାନ । କେତେବେଳେ କାହାକୁ କୁଆଡେ ନେବ କେହି ବି ଜାଣେନା । ଯିଏ ୪ ବର୍ଷ ତଳେ ବାପା ମାଙ୍କ ପାଇଁ ଅଲୋଡା ଥିଲେ ଆଜି ସେ ବିଦେଶ ଯାଉଛନ୍ତି । ଯାହାଙ୍କୁ ବାପା ମା ଅଲୋଡା ଭାବେ ରାସ୍ତାରେ ଛାଡି ଦେଇଥିଲେ ତାଙ୍କୁ ନେବା ପାଇଁ ସୁଦୂର ଆମେରିକାରୁ ଆସିଲେ ଦମ୍ପତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ ବଡଚଣା ବ୍ଲକ ବୁଢାକେନ୍ଦୁଆ ସ୍ଥିତ ନେସନ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ।

ଆମେରିକୀୟ ଦମ୍ପତିଙ୍କ ମହାନତା:ଦିବ୍ୟାଙ୍ଗ ଦୁଇ ଭଉଣୀକୁ ପୋଷ୍ୟ ସନ୍ତାନ ଭାବେ କଲେ ଗ୍ରହଣ

ଯେଉଁଠି ୪ ବର୍ଷ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରହୁଥିବା ଦୁଇ ଭିନ୍ନକ୍ଷମ ଭଉଣୀଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଆମେରିକୀୟ ଦମ୍ପତି ଏରିକା ଓ ପିଂଲିପ । ଦୀର୍ଘଦିନ ହେଲା ଏହି ପୋଷ୍ୟ ସନ୍ତାନ ପାଇବା ପାଇଁ ଆବେଦନ କରିଥିବା ଏହି ଦମ୍ପତି ଦୁଇ ଭଉଣୀଙ୍କୁ ପାଇଁ ବେଶ ଖୁସି ଅନୁଭବ କରିଛନ୍ତି । ବଡଚଣା ବୁଢ଼ାକେନ୍ଦୁଆ ସ୍ଥିତ ନେସନ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ଏହି ଦୁଇ ଭିନ୍ନକ୍ଷମ ଭଉଣୀ ୪ ବର୍ଷ ହେଲା ରହୁଥିଲେ । ଆଉ ସେହି କେନ୍ଦ୍ର ଛାଡିବା ବେଳେ ପରିବେଶ ଥିଲା ବେଶ ଗମ୍ଭୀର । ଦୁଇ ଭଉଣୀ ସିନା ବୁଝିପାରୁ ନଥିଲେ ସେମାନେ ସବୁଦିନ ପାଇଁ ଛାଡି ଯାଉଛନ୍ତି ସୁଦୁର ଆମେରିକାକୁ । କିନ୍ତୁ ସେମାନଙ୍କୁ ଝୁରି ହେଉଥିଲେ ନେସନର ଅନ୍ତେବାସୀ ଓ କର୍ମକର୍ତ୍ତା ।

ପୋଷ୍ୟ ସନ୍ତାନ ଗ୍ରହଣ ନିୟମ ମୁତାବକ ଏରିକା ଓ ପିଂଲିପ ଦୁଇ ଦିବ୍ୟାଙ୍ଗ ସନ୍ତାନଙ୍କୁ ଗ୍ରହଣ କରିବା ପରେ ଉଭୟଙ୍କୁ ଯାଜପୁର ଜିଲ୍ଲା ସମାଜ ମଙ୍ଗଳ କେନ୍ଦ୍ରରେ ହାଜର କରାଯାଇଥିଲା । ସେଠାରେ ଦମ୍ପତିଙ୍କ ସହିତ ଆଲୋଚନା କରାଯିବା ସହିତ ନିୟମ ଅନୁଯାୟୀ ଉଭୟଙ୍କୁ ଶିଶୁ ବିଶେଷଜ୍ଞଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରିକ୍ଷା କରାଯାଇଥିଲା । ଜିଲ୍ଲା ଶିଶୁ ମଙ୍ଗଳ ସମିତି,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତି ଦୁଇ ଭଉଣୀଙ୍କୁ ହସ୍ତାନ୍ତର କରାଯାଇଥିଲା । ସୂଚନା ମୁତାବକ ୨୦୧୭ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରୁ ମୋଟ ୭୩ ଜଣ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି । ସେଥିମଧ୍ୟରୁ ୪ ଜଣ ବିଦେଶ ଯାଇଛନ୍ତି ।

ଯାଜପୁରରୁଜ୍ଞାନ ରଞ୍ଜନ ଓଝା, ଇଟିିଭି ଭାରତ

ABOUT THE AUTHOR

...view details