ଯାଜପୁର: ଦିନେ ଶିଳ୍ପକୁ ସ୍ବାଗତ କରିଥିବା ଲୋକଙ୍କ ଜୀବନ ଆଜି ମରଣ ମୁହଁରେ । ଶିଳ୍ପ କାରଖାନା ଯୋଗୁଁ ପ୍ରଦୂଷଣ ବିଷ ବଳୟରେ ସମଗ୍ର କଳିଙ୍ଗନଗର ଶିଳ୍ପାଞ୍ଚଳ । ମାତ୍ରାଧିକ ବାୟୁ ପ୍ରଦୂଷଣ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ବର୍ତ୍ତମାନ ସମୟରେ ଏଭଳି ମାତ୍ରାଧିକ ବାୟୁ ପ୍ରଦୂଷଣ ଲୋକଙ୍କୁ ଭୟଭୀତ କରିଛି ।
ବାୟୁ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଫଳରେ ଦୁର୍ବିସହ ହୋଇପଡିଛି ଦୈନଦିନ ଜୀବନ । ନିକଟରେ ଗ୍ରୀନପିସ୍ ପକ୍ଷରୁ ପ୍ରକାଶ ପାଇଥିବା ଏକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଭାରତର ଟପ୍ ୧୦୦ ବାୟୁ ପ୍ରଦୂଷଣ ସହର ମଧ୍ୟରେ ରହିଛି କଳିଙ୍ଗନଗର ଶିଳ୍ପାଞ୍ଚଳ । ଏହି ରିପୋର୍ଟରେ ଦେଶର ଟପ୍ ୧୦୦ ବାୟୁ ପ୍ରଦୂଷଣ ସହର ମଧ୍ୟରେ ଓଡ଼ିଶାର ୬ଟି ସହର ରହିଛି ।
ଜୀବନ ଓ ଜୀବିକାର ଦୋଛକିରେ କଳିଙ୍ଗନଗର ଶିଳ୍ପାଅଞ୍ଚଳ ବାସିନ୍ଦା ଏହି ୬ଟି ସହର ମଧ୍ୟରେ ପାରାଦୀପ ମାନ୍ୟତା (୭୯) ପ୍ରଥମ ଏବଂ କଳିଙ୍ଗନଗର ମାନ୍ୟତା (୮୪) ଦ୍ବିତୀୟ ସ୍ଥାନରେ ରହିଛି । ଦେଶର ୨୮୭ଟି ସହରକୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା । ଶିଳ୍ପ କାରଖାନା ପାଇଁ ରାଜ୍ୟ ତଥା ଦେଶ ବାହାରୁ ଲକ୍ଷ ଲକ୍ଷ ଲୋକ ଆସି କଳିଙ୍ଗନଗରରେ ବସବାସ କରନ୍ତି । ହେଲେ ଏଠାରେ ବର୍ତ୍ତମାନ ସମୟରେ ଏଭଳି ମାତ୍ରାଧିକ ବାୟୁ ପ୍ରଦୂଷଣ ଲୋକଙ୍କ ଚିନ୍ତା ବଢାଇ ଦେଇଛି ।
ବାୟୁ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଲୋକମାନେ କିଡନି ରୋଗ ଓ ଚର୍ମରୋଗ ଆଦି ବିଭିନ୍ନ ରୋଗର ଶିକାର ହେଉଛନ୍ତି । ବାୟୁ ପ୍ରଦୂଷଣ ଫଳରେ ଜଳ ଉତ୍ସ ମଧ୍ୟ ପ୍ରଦୂଷିତ ହୋଇଛି । ଫଳରେ ଦୁର୍ବିସହ ହୋଇପଡିଛି ଦୈନଦିନ ଜୀବନ । ତେଣୁ ଏହି ଅଂଚଳକୁ କ୍ରିଟିକାଲ ପଲ୍ୟୁସନ ଜୋନ୍ ଘୋଷଣା କରିବାକୁ ପରିବେଶବିତ ଦାବି କରିଛନ୍ତି । ଯଥାଶିଘ୍ର ଏଭଳି ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ। ତେଣୁ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।
ତେବେ ଅବିଳମ୍ବେ ଏହାର ସମାଧାନ କରାନଗଲେ ଆଇନର ସହାୟତା ନିଆଯିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି । ସେପଟେ ଏ ସମ୍ପର୍କରେ ଆମେ ପରିବେଶ ବିଭାଗର ଆଞ୍ଚଳିକ ଅଧିକାରୀଙ୍କୁ ଭେଟିଥିଲୁ । ସେ କହିଲେ ପରିବେଶକୁ ସୁରକ୍ଷା ରଖିବା ପାଇଁ ଆମେ ସବୁ କଲକାରଖାନା ଉପରେ ଆକ୍ସନ ନେଉଛୁ । ଆଉ ଯେଉଁ କମ୍ପାନୀ ଏଥିପ୍ରତି ନଜର ଦେଉ ନାହାଁନ୍ତି ସେ କମ୍ପାନୀ ଉପରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯାଉଛି ।
କଳିଙ୍ଗନଗରରେ ଛୋଟବଡ ଭାବେ ୧୬ଟି କାରଖାନା ଅଛି । ଯଦି ପରିବେଶର ପ୍ରଦୂଷଣ ପ୍ରତି ପରିବେଶ ବିଭାଗ ଠୁ ଆରମ୍ଭ କରି କଲକାରଖାନା କର୍ତ୍ତୃପକ୍ଷ ଯତ୍ନବାନ ନହେବେ ଏହା ଆଗକୁ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ଆଜିଠୁ ଅନୁମେୟ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ