ଓଡିଶା

odisha

By

Published : Apr 8, 2019, 3:07 PM IST

ETV Bharat / state

ଆକାଶଙ୍କ ପରେ କାହାର ହେବ କୋରେଇ?

ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ଥିବା ୫୩ନଂ କୋରେଇ ବିଧାନସଭା ଆସନରେ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛନ୍ତି ୩ ପ୍ରମୁଖ ଦଳ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌଣସି ଦଳ ଗତ କରିଥିବା ପ୍ରାର୍ଥୀଙ୍କୁ ଏଥର ଟିକେଟ ଦେଇନାହିଁ। ତିନିଜଣ ନୂଆ ମୁହଁ ଏଥର ନିର୍ବାଚନରେ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି।

ଡିଜାଇନ ଫଟୋ


ଯାଜପୁର: 2019 ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ସାରା ରାଜ୍ୟ । ଏଥର ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଥିବା ବେଳେ, ଯାଜପୁରରେ ଚଳିତ ମାସ ୨୯ ତାରିଖରେ ହେବ ମତଦାନ। ଯାହାକୁ ନେଇ ସରଗରମ ସମଗ୍ର ଜିଲ୍ଲା ରାଜନୀତି । ଏଥର ବାଜି ମାରିବ କିଏ ତାକୁ ନେଇ ଆରମ୍ଭ ହୋଇଗଲାଣି ଅଙ୍କକଷା।

ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ଥିବା ୫୩ନଂ କୋରେଇ ବିଧାନସଭା ଆସନରେ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛନ୍ତି ୩ ପ୍ରମୁଖ ଦଳ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କୌଣସି ଦଳ ଗତ କରିଥିବା ପ୍ରାର୍ଥୀଙ୍କୁ ଏଥର ଟିକେଟ ଦେଇନାହିଁ । ତିନିଜଣ ନୂଆ ମୁହଁ ଏଥର ନିର୍ବାଚନରେ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।

ଗତଥର କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବିଶ୍ବଜିତ ନାୟକ ଏଥର ବିଜେପି ଟିକେଟ ନିର୍ବାଚନ ଲଢୁଛନ୍ତି । ସେହିପରି କଂଗ୍ରେସ ଏଥର ବ୍ୟାସନଗରର ପୂର୍ବତନ ପୌରାଧ୍ୟକ୍ଷା ବନ୍ଦିତା ପରିଡାଙ୍କୁ ପ୍ରାର୍ଥୀ କରିଛନ୍ତି । ସବୁଠାରୁ ଚର୍ଚ୍ଚାର ପରିସର ମଧ୍ୟରେ ରହିଛନ୍ତି ବିଜେଡି । ଗତ 2014 ନିର୍ବାଚନରେ ଅଭିନେତାରୁ ରାଜନେତା ପାଲଟିଥିବା ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଚଳିତ ଥର ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ ବଳ ।

ମହିଳା କଂଗ୍ରେସର ରାଜ୍ୟ ଉପ-ସଭାନେତ୍ରୀ ଥିବା ବନ୍ଦିତା ପରିଡାଙ୍କୁ କଂଗ୍ରେସ ଏଠାରୁ ପ୍ରାର୍ଥୀ କରିଛି । ୨୦୦8ରେ ବ୍ୟାସନଗର ପୌର ପରିଷଦ ଦଖଲ କରି ପୌରାଧ୍ୟକ୍ଷା ଆସନକୁ ହାତେଇଥିବା ବନ୍ଦିତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି କଂଗ୍ରେସ ହାଇକମାଣ୍ଡ । କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆଙ୍କ ପରେ କୋରେଇ ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି ବନ୍ଦିତା । ସେ ଜଣେ ମହିଳା ହୋଇଥିବା ବେଳେ ମହିଳାଙ୍କ ସୁରକ୍ଷା ପ୍ରତି ଗୁରୁତ୍ବ ଦେବା ସହ ସ୍ଥାନୀୟ ବେକାରୀ ସମସ୍ୟା ଏବଂ ଚାଷୀଙ୍କ ସମସ୍ୟାକୁ ପ୍ରସଙ୍ଗ କରି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଅନ୍ୟପଟେ ପ୍ରତିଥର ବିଜେଡି ତାର ପ୍ରାର୍ଥୀ ପରିବର୍ତ୍ତନ କରିବା ଦ୍ବାରା ଲୋକେ ବିଜେଡି ଉପରେ ଆସ୍ଥା ହରାଇ କଂଗ୍ରେସକୁ ଜିତାଇବେ ବୋଲି ଆଶା ପ୍ରକଟ କରିଛନ୍ତି ବନ୍ଦିତା ।

ସେପଟେ ୨୦୧୪ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ କଂଗ୍ରେସ ଟିକେଟରୁ ଲଢିଥିବା ବିଶ୍ବଜିତ୍ ନାୟକଙ୍କୁ ଚଳିତ ଥର ପ୍ରାର୍ଥୀ କରିଛି ବିଜେପି । ସେ ୨୦୧୪ ରେ କଂଗ୍ରେସ ଟିକେଟରୁ ଲଢି ୩୧ ହଜାର ୯୯ଟି ଭୋଟ୍ ପାଇ ବିଜେଡିର ଆକାଶ ଦାସ ନାୟକଙ୍କ ଠାରୁ ପରାସ୍ତ ହୋଇଥିଲେ ସେ । ଗତ ପଞ୍ଚାୟତ ନିର୍ବାଚନରେ ବ୍ୟକ୍ତିଗତ ଭାବେ ବିଭିନ୍ନ ପଞ୍ଚାୟତରେ ପ୍ରାର୍ଥୀ ଦେଇ କୋରେଇ ବ୍ଳକ ଅଧ୍ୟକ୍ଷ ପଦ ଦଖଲ କରିଥିଲେ ବିଶ୍ବଜିତ୍ । ପରେ ସେ ସାମିଲ ହୋଇଥିଲେ ବିଜେପିରେ ଏବଂ ଦଳ ପାଇଁ ବନିଯାଇଥିଲେ ଆସେଟ୍ । ଏବେ ତାଙ୍କୁ ପ୍ରାର୍ଥୀ କରାଯିବା ପରେ କୋରେଇରେ ବିଜେପି ଜିତିବା ନେଇ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିସହ କଂଗ୍ରେସ ଓ ବିଜେଡି ଲୋକଙ୍କ ଆଶା ଆକାଂକ୍ଷା ଠାରୁ ବହୁ ଦୂରରେ ରହିଥିବା ବେଳେ ବିଜେପି ଓ ମୋଦି ସରକାର ପ୍ରତି ଲୋକଙ୍କ ଆସ୍ଥା ବଢିଥିବା କହିଛନ୍ତି ବିଶ୍ବଜିତ ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା. ଈଟିଭି ଭାରତ

ଏଥର ବିଜେଡି କୋରାଇ ଭୋଟରଙ୍କ ସାମ୍ନାରେ ନୂଆ ମୁହଁ ରଖିଛି । ଅଭିନେତାରୁ ରାଜନେତା ବନିଥିବା କୋରାଇ ବିଧାୟକ ଆକାଶ ଦାସ ନାୟକଙ୍କୁ ଏଥର ମିଳିଲାନାହିଁ ଟିକେଟ୍ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୁବନେତା ଅଶୋକ ବଳଙ୍କୁ ତାଙ୍କ ସ୍ଥାନରେ ପ୍ରାର୍ଥୀ କରିଛନ୍ତି । ଛାତ୍ରନେତାରୁ ରାଜନୀତିରେ ପାଦ ଥାପିଥିବା ଅଶୋକଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବିଜେଡି ସୁପ୍ରିମୋ । ପୂର୍ବତନ ମନ୍ତ୍ରୀ ତଥା ସାଂସଦ ସ୍ବର୍ଗତ କଳ୍ପତରୁ ଦାସଙ୍କ ନେତୃତ୍ବରେ ରାଜନୀତିକୁ ଆସିଥିବା ଆଶୋକ ୨୦୦୭ରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ହୋଇଥିଲେ ।

ଦୀର୍ଘଦିନ ବିଜେଡିରେ ରହି ରାଜନୀତି କରିବା ପରେ ୨୦୧୪ରେ କୋରେଇରୁ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ । ମାତ୍ର ୨୦୧୪ରେ ଆକାଶଙ୍କୁ ଦଳ ପ୍ରାର୍ଥୀ କରିବା ପରେ ସେ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ତେବେ କିଛିଦିନ ବିଜେପିରେ ରହିବା ପରେ ପୁନର୍ବାର ବିଜେଡିକୁ ପ୍ରତ୍ୟାବର୍ତନ କରିଥିଲେ । ବର୍ତମାନ ସେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ରହିଥିବା ବେଳେ ପଡୋଶୀ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପର୍ଯ୍ୟବେକ୍ଷକ ମଧ୍ୟ ରହିଛନ୍ତି । ଦୀର୍ଘ ବର୍ଷ ଧରି କୋରେଇ ବିଜେଡିର ଗଡ ରହିଆସିଥିବା ବେଳେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କୋରେଇରେ ବହୁ ବିକାଶ ହୋଇଛି । ଥର ମଧ୍ୟ ଲୋକେ ବିଜେଡିକୁ ପୂର୍ବଭଳି ଭରଷା କରିବେ ବୋଲି କହିଛନ୍ତି ଅଶୋକ।

ବିଜେଡି, ବିଜେପି ଓ କଂଗ୍ରେସ ଏହି ତିନୋଟି ପ୍ରମୁଖ ଦଳ ପାଇଁ ସେମାନଙ୍କ ଦଳୀୟ ପ୍ରାର୍ଥୀ ହେଉଛନ୍ତି ନୂଆମୁହଁ । ସେମାନଙ୍କ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେବାକୁ ଯାଉଥିବା ବେଳେ କୋରେଇରେ ଭୋଟର କାହା ମୁଣ୍ଡରେ ସୁନା କଳସ ଢାଳିବେ ତାହା ଆଉ ମାତ୍ର ଦିନ କେଇଟା ପରେ ଜଣାପଡିବ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଈଟିଭି ଭାରତ

ABOUT THE AUTHOR

...view details