ଯାଜପୁର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ 5 ହଜାର ଉର୍ଦ୍ଧ୍ବ ଚିହ୍ନଟ ହୋଇଛନ୍ତି । ତେବେ ଯାଜପୁର ଜିଲ୍ଲାରେ କୋରୋନା ପଜେଟିଭ ସଂଖ୍ୟା 381କୁ ବୃଦ୍ଧି ପାଇଥିବାବେଳେ ଜାରି ରହିଛି ଦୁଇ ଦିନିଆ ସଟଡାଉନ କଟକଣା । ଜୁନ ମାସର ତୃତୀୟ ସପ୍ତାହରେ ଯାଜପୁର ଜିଲ୍ଲାରେ ଶନିବାର ଓ ରବିବାର ଦୁଇଦିନ ଧରି 48 ଘଣ୍ଟିଆ ସଟଡାଉନ କଟକଣା ଜାରି ହୋଇଛି ।ଏଥିଯୋଗୁଁ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବା ସହିତ ଦୋକାନ ବଜାର ବନ୍ଦ ରହିଛି ।
ଯାଜପୁରରେ ଦୁଇ ଦିନିଆ ସଟଡାଉନ ସେପଟେ ଜିଲ୍ଲାରେ ଗତକାଲି(ଶନିବାର) 3ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି(ରବିବାର) ଗୋଟିଏ ଦିନରେ ଆଉ 21ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 381ରେ ପହଞ୍ଚି ସାରିଛି ।
ରବିବାର ଚିହ୍ନଟ ହୋଇଥିବା 21ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବରୀ ବ୍ଲକରୁ 9ଜଣ, ଦଶରଥପୁର ବ୍ଲକରୁ 7, ଧର୍ମଶାଳା ବ୍ଲକରୁ 5ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ କ୍ରମଶଃ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି।
ସେହିପରି ଜିଲ୍ଲାରେ ଇତିମଧ୍ୟରେ ମୋଟ 326ଜଣ ସୁସ୍ଥ ମଧ୍ୟ ହୋଇ ସାରିଲେଣି । ତେବେ ଅବଶିଷ୍ଟ 55 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 54ଜଣ କଳିଙ୍ଗନଗର ଟାଟା କୋଭିଡ୍ ହସ୍ପିଟାଲରେ ଏବଂ ଜଣେ କଟକ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଗତ ମେ' 5ରୁ ଆଜିସୁଦ୍ଧା ବିଗତ ଦେଢ ମାସ ମଧ୍ୟରେ 20ହଜାର 181 ଜଣ ପ୍ରବାସୀ ଶ୍ରମିକ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ