ଯାଜପୁର: ଯାଜପୁର ରୋଡ ରେଳଷ୍ଟେସନକୁ ଡିଭିଜନ ମାନ୍ୟତା ଦେବାକୁ ଉଠିଲା ଦାବି । ଏହାକୁ ନେଇ ବ୍ୟାସନଗର ମିଳିତ ମଞ୍ଚ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଛକରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଆଜି(ରବିବାର) ବ୍ୟାସନଗର ମିଳିତ ମଞ୍ଚର ଆବାହକ ଚନ୍ଦ୍ରଶେଖର ପଣ୍ଡାଙ୍କ ନେତୃତ୍ୱରେ ଏହି ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି ।
ବ୍ୟାସନଗର ପୌରପରିଷଦର ପୂର୍ବତନ ଅଧକ୍ଷ ରସାନନ୍ଦ ମହାନ୍ତି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଯାଜପୁର ରୋଡ ରେଳଷ୍ଟେସନକୁ ଡିଭିଜନ ମାନ୍ୟତା ଦାବିରେ ୧୦ ହଜାର ଦସ୍ତଖତ ସଂଗ୍ରହ କରି ରେଳମନ୍ତ୍ରୀ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବା ନେଇ ବ୍ୟାସନଗର ମିଳିତ ମଞ୍ଚ ଆବାହକ ଚନ୍ଦ୍ରଶେଖର ପଣ୍ଡା ସୂଚନା ଦେଇଛନ୍ତି । ୨୦୧୮ ମସିହାରେ ଏହାକୁ ନେଇ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିଥିଲେ ରାଜ୍ୟ ସରକାର । ଏହାସହ ୨୦୧୯ ମସିହାରେ ସଂସଦରେ ଯାଜୁପୁର ସାଂସଦ ଏହି ଦାବି ଉପସ୍ଥାପନ କରିଥିଲେ ସୁଦ୍ଧା କିଛି ଲାଭ ହୋଇନାହିଁ । ଯାଜପୁର ରୋଡ ରେଳଷ୍ଟେସନକୁ ଡିଭିଜନ ମାନ୍ୟତା ନମିଳିଲେ ଆନ୍ଦୋଳନ ଓହ୍ଲାଇବାକୁ ଧମକ ଦେଇଛି ବ୍ୟାସନଗର ମିଳିତ ମଞ୍ଚ ।