ଯାଜପୁର: ଯାଜପୁର ସବ୍ ଜେଲରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ ହୋଇଛି। ମୃତ କଏଦୀ ଜଣକ ବଡଚଣା ଥାନା ପାଇକରାପୁର ଗାଁର ଗନ୍ଧର୍ବ ସ୍ବାଇଁ ବୋଲି ଜଣା ପଡ଼ିଛି। ଏକ ଡକାୟତି ମାମଲାରେ ସେ ବିଚାରଧୀନ ଥିବା ବେଳେ ତାଙ୍କୁ ଯାଜପୁର ସବଜେଲରେ ରଖାଯାଇଥିଲା। ଆଜି(ଗୁରୁବାର) ସକାଳୁ ସେ ହଠାତ ଅସୁସ୍ଥ ହୋଇପଡିଥିଲେ।
ଗୁରୁତର ଅବସ୍ଥାରେ ଗନ୍ଧର୍ବ ସ୍ବାଇଁଙ୍କୁ ଯାଜପୁର ରୋଡ଼ ମେଡିକାଲକୁ ନେବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ପୋଲିସ ଏବଂ ଜେଲର ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।
ଡିସେମ୍ବର 4ତାରିଖ ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ କରିଥିଲେ ଗନ୍ଧର୍ବ ସ୍ବାଇଁ। ଖସି ପଳାଇଯାଉଥିବା ବେଳେ ହରିପୁର କାଜୁ ଜଙ୍ଗଲରେ ତାଙ୍କ ହାତରେ ବୋମା ବିସ୍ଫୋରଣ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରବର୍ତ୍ତୀ ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା।
କଟକ ବଡ ଡାକ୍ତରଖାନାରେ ତାଙ୍କର ଡାହାଣ ହାତଟି କଟାଯାଇଥିଲା। ପରେ ସୁକିନ୍ଦା ପୋଲିସ ପକ୍ଷରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କୁ ଗିରଫ କରାଯାଇଥିଲା। ସୁସ୍ଥ ହେବା ପରେ ତାଙ୍କୁ ଯାଜପୁର ରୋଡ୍ ସବଜେଲକୁ ବିଚାରାଧୀନ କଏଦୀ ଭାବେ ରଖା ଯାଇଥିଲା।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ