ଓଡିଶା

odisha

ETV Bharat / state

ବୃଦ୍ଧବାପାଙ୍କୁ ଘରୁ ତଡିଦେଲା ପୁଅ, ୬ ମାସ ଧରି ସ୍କୁଲ ବାରଣ୍ଡାରେ ବିତୁଛି ଜୀବନ - ସ୍କୁଲ ବାରଣ୍ଡା

୭୪ ବର୍ଷୀୟ ବୃଦ୍ଧଙ୍କୁ ଘରୁ ବାହାର କରିଦେଲେ ପୁଅ ବୋହୂ । ଫଳରେ ଦୀର୍ଘ ୬ ମାସ ଧରି ସ୍କୁଲପିଣ୍ଡାରେ ଜୀବନ ବିତାଉଛନ୍ତି ଯାଜପୁର ଜିଲ୍ଲା ପାଣିକୋଇଲି ପଞ୍ଚାୟତ ବଣିଆଗାଡ଼ିଆ ଗାଁର ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ । ଅଧିକ ପଢନ୍ତୁ...

୭୪ ବାର୍ଷିୟ ବୃଦ୍ଧଙ୍କୁ ଘରୁ ବାହାର କରିଦେଲା ପୁଅ, ୬ ମାସ ଧରି ସ୍କୁଲ ପିଣ୍ଡାରେ ବିତୁଛି ଜୀବନ
୭୪ ବାର୍ଷିୟ ବୃଦ୍ଧଙ୍କୁ ଘରୁ ବାହାର କରିଦେଲା ପୁଅ, ୬ ମାସ ଧରି ସ୍କୁଲ ପିଣ୍ଡାରେ ବିତୁଛି ଜୀବନ

By

Published : Nov 13, 2021, 3:01 PM IST

ଯାଜପୁର: ବେଦ କହେ ‘ପିତା ଧର୍ମ ପିତା ସ୍ବର୍ଗ ପିତାହିଁ ପରମ ତପ, ପିତରି ପ୍ରତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତାଃ’ l ହେଲେ ଆମ ତଥାକଥିତ ସଭ୍ୟ ସମାଜରେ ଆଜି ପିତାର ଅବସ୍ଥା କେତେ ଶୋଚନୀୟ, ତାହା ଏ ଚିତ୍ର ହିଁ ବୟାନ କରୁଛି । ଏ ହେଉଛନ୍ତି ୭୪ ବର୍ଷୀୟ ଅସହାୟ ବୃଦ୍ଧ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ । ଦୁଇ ପୁଅ ଓ ଦୁଇ ଝିଅଙ୍କୁ ନେଇ ତାଙ୍କ ସଂସାର । ସ୍ତ୍ରୀ ଆଜକୁ ପନ୍ଦର ବର୍ଷ ତଳେ ଆରପାରିକୁ ଚାଲି ଗଲେଣି । ଉଭୟ ପୁଅ ଝିଅଙ୍କର ବିବାହ ହୋଇ ସାରିଛି l ତେବେ ଦୁଇ ପୁଅଙ୍କ ପାଖରେ ବାକି ସମୟ ବିତେଇବା ପାଇଁ ଆଶା କରିଥିଲେ ପୂର୍ଣ୍ଣଚନ୍ଦ୍ର । କିନ୍ତୁ ପୁଅ ତାଙ୍କର ସାହାରା ହେବା ପରିବର୍ତ୍ତେ ଘରୁ ବାହାର କରି ଦେଇଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପାଣିକୋଇଲି ପଞ୍ଚାୟତ ବଣିଆଗାଡ଼ିଆ ଗ୍ରାମରେ l

୭୪ ବର୍ଷୀୟ ବୃଦ୍ଧଙ୍କୁ ଘରୁ ବାହାର କରିଦେଲା ପୁଅ, ୬ ମାସ ଧରି ସ୍କୁଲ ପିଣ୍ଡାରେ ବିତୁଛି ଜୀବନ
ବାପାମାଆ ପୁତ୍ର ସନ୍ତାନଟିଏ ପାଇବା ଲାଗି ଦିଅଁ ଦେବତାଙ୍କ ନିକଟରେ କାହିଁ କେତେ ଗୁହାରୀ କରିଥାଆନ୍ତି । କିନ୍ତୁ ବାର୍ଦ୍ଧକ୍ୟ ବୟସରେ ସେଇ ପୁଅ ସମ୍ପତି ପାଇବା ପରେ ତା’ ବାପାକୁ ପର କରିଦେବା ଘଟଣା ଦେଖିବାକୁ ଘଟିଛି ୭୪ ବର୍ଷୀୟ ବୃଦ୍ଧ ପୂର୍ଣ୍ଣଚନ୍ଦ୍ରଙ୍କ କ୍ଷେତ୍ରରେ । ସମ୍ପତ୍ତି ଅକ୍ତିଆର କରିସାରିଲା ପରେ ପିତାକୁ ଘରୁ ବାହାର କରିଦେଇଛନ୍ତି ଦୁଇ ପୁଅ l ଶେଷରେ ଆଖି ଲୁହକୁ ପିଇ ଭାଗ୍ୟକୁ ଭରସା କରି ବିଦ୍ୟାଳୟ ବାରଣ୍ଡାରେ ଆଜକୁ 6 ମାସ ଧରି ଆଶ୍ରୟ ନେଇଛନ୍ତି ପୂର୍ଣ୍ଣଚନ୍ଦ୍ର । ନା ଖାଇବାକୁ ଗଣ୍ଡାଏ ମିଳୁଛି, ନା ସ୍ବାସ୍ଯବସ୍ଥା ପଚାରିବାକୁ କିଏ ଅଛି । ଶେଷରେ ସରକାରଙ୍କ ପକ୍ଷରୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ମାସିକ ପାଞ୍ଚଶହ ଟଙ୍କାରେ ବିସ୍କୁଟ ଖାଇ ଜୀବନ ଜିଉଛନ୍ତି ପୂର୍ଣ୍ଣଚନ୍ଦ୍ର l ବେଳେ ବେଳେ ମନ୍ଦିରରେ ହେଉଥିବା ରୋଷଇ ଓ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଉପରେ ନିର୍ଭର କରନ୍ତି l ତେବେ ଏଭଳି ଅବସ୍ଥାରେ ନିଜର କୋହଭରା ହୃଦୟରେ ପୁଅ ଜନ୍ମ କରିବା ଆଜିର ଯୁଗରେ ଅଭିଶପ୍ତ ବୋଲି କହିଛନ୍ତି ବୃଦ୍ଧ ପୂର୍ଣ୍ଣଚନ୍ଦ୍ର। ସେପଟେ ଜିଲ୍ଲା ପ୍ରଶାସନ ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ପୁଅ ଓ ବୋହୁ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ସ୍ତ୍ରୀଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ନାମରେ ଥିବା ସମ୍ପତ୍ତିକୁ ଦୁଇ ପୁଅ ଭାଗ କରି ବାଣ୍ଟି ନେଲେ l ଆଉ ଏହାପରେ ପୁଅ ବୋହୂମାନେ ପୂର୍ଣ୍ଣଚନ୍ଦ୍ରଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଲେ । ତେବେ ଗତ 5 ମାସ ତଳେ କୌଣସି କାରଣରୁ ଘରେ ଝଗଡ଼ା ହେବା ପରେ ସାନ ବୋହୁ ଶ୍ବଶୂରଙ୍କୁ ଧକ୍କା ମାରି ଘରୁ ତଡ଼ିଦେଲା । ଫଳରେ ୭୪ ବର୍ଷୀୟ ବୃଦ୍ଧ ବଣିଆଗାଡ଼ିଆ ପ୍ରାଥମିକ ବିଦ୍ୟାଳୟ ବାରଣ୍ଡାରେ ଏବେ ଆଶ୍ରୟ ନେଇଛନ୍ତି । ଏବେ ବିଦ୍ୟାଳୟ ବାରଣ୍ଡା ପାଲଟିଛି ତାଙ୍କ ପାଇଁ ଆଶ୍ରୟସ୍ଥଳୀ l କୌଣସି ପୁଅ ବାପାଙ୍କର ଖାଇବା ପିଇବା, ସ୍ଵାସ୍ଥ୍ୟବସ୍ଥା ବିଷୟରେ ପଚାରୁ ନ ଥିବା ବେଳେ ନିଜେ ପାଉଥିବା ବାର୍ଦ୍ଧକ୍ୟ ଭତ୍ତା ହିଁ ଏକମାତ୍ର ସମ୍ବଳ ପାଲଟିଛି । ବୃଦ୍ଧ ପିତାମାତାଙ୍କ ନିର୍ଯ୍ୟାତନା ବିରୁଦ୍ଧରେ କଠୋର ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ଏହି ବୃଦ୍ଧଙ୍କ କ୍ଷେତ୍ରରେ ଏହି ଆଇନର ବ୍ୟତିକ୍ରମ ଦେଖିବାକୁ ମିଳିଛି l ତେଣୁ ବୃଦ୍ଧଙ୍କ ଥଇଥାନ ନିମନ୍ତେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details