ଯାଜପୁର:ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ସୟିଦ ଇଶାନ ବୁଖାରିକୁ ଗତକାଲି 5 ଦିନିଆ ରିମାଣ୍ଡରେ ନେଇଛି ଭୁବନେଶ୍ୱର ଏସଟିଏଫ ଟିମ୍ । ବୁଖାରି ସମ୍ବନ୍ଧରେ କିଛି ନୂଆ ତଥ୍ୟ ବର୍ତ୍ତମାନ ସାମନାକୁ ଆସିଛି l 5ବର୍ଷ ତଳେ ବୁଖାରୀ ନାଁରେ ଧର୍ମଶାଳା ଥାନାରେ ଏତଲା ହୋଇଥି୍ଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ସେହି ସମୟର ଘଟଣାକୁ ନେଇ ସନ୍ଦିଗ୍ଧ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ୱର ଉଠାଇଛନ୍ତି କିଛି ଲୋକ । ବୁଖାରୀକୁ ରିମାଣ୍ଡରେ ନେବା ପରେ ଏସଟିଏଫ୍ ଟିମ୍ ଅଧିକ ତଦନ୍ତ କରିବା ନେଇ ସୂଚନା ମିଳିଛି ।
ତେବେ ସୟଦ ଇସାନ ବୁଖାରି ଯାଜପୁରରେ କିଭଳି ରହିଥିଲା, 5 ବର୍ଷ ଧରି କାହା ସହାୟତାରେ ସେ ଏଭଳି କାର୍ଯ୍ୟ କରୁଥିଲା ଏ ତମାମ ତଥ୍ୟ ବାବଦରେ 5ଦିନ ରିମାଣ୍ଡ ଅବଧି ମଧ୍ୟରେ ବୁୁଖାରିକୁ ପଚରାଉଚରା କରାଯିବ ବୋଲି ଜଣାପଡିଛି । ସନ୍ଦିଗ୍ଧ କାଶ୍ମୀରି ଆତଙ୍କି ସୟଦ ଇସାନ ବୁଖାରିକୁ ନେଇ ଯାଜପୁରରେ ଜୋର ଧରିଛି ଚର୍ଚ୍ଚା । STF ଟିମ୍ ଗତ ଦୁଇଦିନ ତଳେ ଚଣ୍ଡିଖୋଲ JMFC କୋର୍ଟରେ ବୁଖାରିକୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ଗତକାଲି (ମଙ୍ଗଳବାର) ଯାଜପୁର ରୋଡ ସବ୍ ଜେଲରୁ ତାକୁ 5ଦିନିଆ ରିମାଣ୍ଡରେ ନେବା ପରେ କିପରି ସତ ଓଗାଳୁଛି ତାହା ଜଣାପଡିବ । ପ୍ରକୃତରେ ଏହି ବ୍ୟକ୍ତି ଜଣକର ପ୍ରକୃତ ପରିଚୟ କ'ଣ ? ସେ ଯାଜପୁର ଜିଲ୍ଲାକୁ କାହିଁକି ଆସିଥିଲା ? କ'ଣ କରୁଥିଲା ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ସେପଟେ ବୁଖାରିର ପତ୍ନୀଙ୍କୁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲରୁ ବହିଷ୍କୃତ କରିଥିବା ସୂଚନା ମିଳିଛି l