ଯାଜପୁର:ଜିଲ୍ଲା ଯଖପୁରା ଥାନା ଯଖପୁରା ଗ୍ରାମ ନିକଟରେ ଚାଲିଥିବା ଏକ ଘରୋଇ କମ୍ପାନୀର ଠିକା କାମକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନେ ସ୍ଥାନୀୟ ଦାନଗଦି ଓ ଟାଟା ମେଡିକାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ସମ୍ପୃକ୍ତି ଥିବା ଦର୍ଶାଇ ସ୍ଥାନୀୟ ସରପଞ୍ଚଙ୍କ ନାମରେ ଥାନାରେ ଏତଲା ହୋଇଥିବା ବେଳେ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ୬ରୁ ଅଧିକ ଏତଲା ଦିଆଯାଇଛି । ଅଭିଯୋଗ ପାଇ ପୋଲିସର ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, କଳିଙ୍ଗନଗର ଶିଳ୍ପାଞ୍ଚଳର ଯଖପୁରା ଗ୍ରାମ ନିକଟରେ DRCL (DRC Logistics) ନାମକ ଏକ ଘରୋଇ ସଂସ୍ଥାର ଷ୍ଟକ୍ ୟାର୍ଡ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଯାହାର ନିର୍ମାଣ କାର୍ଯ୍ୟ ସ୍ଥାନୀୟ ମମିତା ଏଣ୍ଟରପ୍ରାଇଜଜସ୍ ନାମକ ଏକ ଠିକା ସଂସ୍ଥା ହାତକୁ ନେଇଛି । ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ସମୟରେ ସ୍ଥାନୀୟ ଯଖପୁରା ସରପଞ୍ଚ ଅରୁଣଜ୍ୟୋତି ସାମଲ ଓ ତାଙ୍କର କିଛି ସମର୍ଥକ ସେଠାରେ ପହଞ୍ଚି କାମ ବନ୍ଦ କରିବା ସହ ଗଣ୍ଡଗୋଳ କରିଥିଲେ । ଏହାକୁ କେନ୍ଦ୍ରକରି ଠିକାଦାର ଗୋଷ୍ଠୀ ଓ ସରପଞ୍ଚ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା । ଏହି ସଂଘର୍ଷରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି ।