ଯାଜପୁର:ସୁରିସାଇରେ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା । ଯାଜପୁର ରୋଡ୍ କୋର୍ଟରେ 17 ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଯାଜପୁର ଜିଲ୍ଲା ନିମପଲ୍ଲୀ ସୁରିସାଇରେ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି ମାରି ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି କରି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ । ଏନେଇ 17 ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ l ସେମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ସହିତ 10 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁଯାୟୀ, ଗତ 2020 ମସିହା ଜୁଲାଇ 7 ତାରିଖ ରାତିରେ କଳିଙ୍ଗନଗର ଥାନା ନିମପଲ୍ଲୀ ଗାଁର ସୁରିସାଇ ସ୍ଥିତ ନିଜ ଘରେ ଦମ୍ପତି ଶୈଳ ବାଲମୁଜ୍ ଓ ସମ୍ବାରି ବାଲମୁଜ୍ ଖାଇ ପିଇ ସାରି ଶୋଇଥିଲେ । ହଠାତ୍ ବିଳମ୍ବିତ ରାତିରେ ସେହି ଗାଁର କିଛି ଯୁବକ ଶୈଳ ବାଲମୁଜଙ୍କ ଘରେ ପଶି କାହିଁକି ଗୁଣିଗାରେଡି କରୁଛ ? ବୋଲି ପ୍ରଶ୍ନ କରିବା ସହ ଆକ୍ରମଣ କରିଥିଲେ । ଖାଲି ସେତିକି ନୁହେଁ, ଦମ୍ପତିଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଫଳରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଆଉ ଘରୁ ନବାହାରିପାରି ପୋଡି ହୋଇ ମୃତ୍ୟୁ ବରଣ କରିଥିଲେ । ତେବେ ଏହି ଘଟଣାର ତଦନ୍ତ କରି କଳିଙ୍ଗନଗର ପୋଲିସ ଏକ ମାମଲା ରୁଜୁ କରି 17 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ l
ଏହା ବି ପଢନ୍ତୁ...ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ 20 ବର୍ଷ ଜେଲ