ଯାଜପୁର:ସମସ୍ୟା ଘେରରେ ରହିଛି ଯାଜପୁରର ବ୍ୟାସନଗର । ବାରମ୍ବାର ସମାଧାନ ଦାବି ପରେ ବି ତାହା ପୂରଣ ହୋଇନାହିଁ । ଫଳରେ ଆଜି ୫ ଦଫା ଦାବି ନେଇ ବ୍ୟାସନଗର ସହର ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି । 12 ଘଣ୍ଟିଆ ବନ୍ଦ ପାଳନ କରୁଛି କ୍ରିୟାନୁଷ୍ଠାନ କମିଟି ଫଳରେ ଦୋକାନ ବଜାର ସଟର ପଡିଛି ଗାଡି ଚଳାଚଳ ବନ୍ଦ ରହିଛି ।
ଯାଜପୁର ଜିଲ୍ଲା ବ୍ୟାସନଗର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୫ ଦଫା ଦାବିରେ ଆଜି ବ୍ୟାସନଗର ସହର ବନ୍ଦ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ସହରରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସହରର ପ୍ରମୁଖ ଗୋପବନ୍ଧୁ ଛକ, ଚୋରଦା ବାଇପାସ ଛକ, ଧବଲଗିରି ଛକ, ଦଳା ଛକ, ଶୋବରା ଛକ ସମେତ 14 ଛକରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି । ଏହି ଆନ୍ଦୋଳନ ସକାଳ 6 ରୁ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା 6ରେ ଆନ୍ଦୋଳନ ଶେଷ ହେବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ଅତ୍ୟାବଶକ୍ୟ ସାମଗ୍ରୀ ସହ ଡାକ୍ତରଖାନାକୁ ବାଦ ଦିଆଯାଇଛି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୫ ଦାବି ନେଇ ଯଥା ରେଳ ଓଭରବ୍ରିଜ ନିର୍ମାଣ, ବିଦ୍ୟୁତ, ଜମିଜମା ସମସ୍ୟା, ହୋଲଡିଂ ଟିକସ ବୃଦ୍ଧି,100 ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ର ଖୋଲିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ଆନ୍ଦୋଳନ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଯାଜପୁର ରୋଡ଼ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।