ଜଗତସିଂହପୁର: ଜିଲ୍ଲା ମହୋତ୍ସବ କଲ୍ଲୋଳକୁ ମନୋଭରି ଉପଭୋଗ କରୁଛନ୍ତି ଦର୍ଶକ। ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଅନୁଷ୍ଠିତ କଲ୍ଲୋଳ ମହୋତ୍ସବ ଚତୁର୍ଥ ଦିନରେ ପହଞ୍ଚିଛି । ଚତୁର୍ଥ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ । ତେବେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଙ୍କ ହୁଳହୁଳି ରେ ମହୋତ୍ସବ ମୁଖରିତ ହୋଇ ପଡ଼ିଥିଲା। ଜିଲ୍ଲା ମହୋତ୍ସବ ଚତୁର୍ଥ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ , ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ତାଙ୍କୁ ମଞ୍ଚରେ ଦେଖିବାକୁ ମିଳି ନଥିଲା । ଫଳରେ ଜିଲ୍ଲା ପ୍ରଶାସନ ବିଳମ୍ବ ହେଉଥିବା ଦେଖି ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି ତ୍ରିତଲ ବିଧାୟକ ବିଜୟ ଶଙ୍କର ଦାସ ଓ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକଙ୍କୁ ଧରି ସଭାର ଆୟୋଜନ କରିଥିଲେ । 15 ମିନିଟ ସଭା ଚାଲିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ତେବେ କନ୍ଧମାଳର ବନବାସୀ କଳା ସଂସ୍କୃତିକ ପରିଷଦ ପକ୍ଷରୁ ଝାଙ୍ଗିଡି ନୃତ୍ୟ, ପରେ ପରେ ଆସାମ ର ବିହୁ ନୃତ୍ୟ, ଖୋର୍ଦ୍ଧାର କବିରାଜ ପାଇକ ଅଖଡା ପକ୍ଷରୁ ପାଇକ ନୃତ୍ୟ ଓ ଶେଷରେ ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା । ଝୋଟି ଓ ହୁଳହୁଳି ପ୍ରତିଯୋଗିତାରେ ବିଜୟୀ ହୋଇଥିବା ମହିଳା ମାନଙ୍କୁ ଜିଲାପାଳ ପୁରସ୍କୃତ କରିଥିଲେ । ତେବେ ହୁଳହୁଳି ପ୍ରତିଯୋଗିତାରେ ସାଂସଦ ଭାଗ ନେଇ ହୁଳହୁଳି ପକାଇଥିଲେ । ଯାହାକୁ ନେଇ କିଛି ସମୟ ହାସ୍ୟରୋଳ ସୃଷ୍ଟି ହୋଇଥିଲା । ସାଂସଦ ଜଣେ ଉଚ୍ଚ ଶିକ୍ଷିତା ଓ ଡାକ୍ତର ହୋଇ ବି ପରମ୍ପରାକୁ ବଜାୟ ରଖିଥିବା ଯୋଗୁଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା ।