ଜଗତସିଂହପୁର:ପାରାଦ୍ବୀପ ସ୍ଥିତ 'ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ' କମ୍ପାନୀ ଫାଟକ ସମ୍ମୁଖରେ ଶ୍ରମିକଙ୍କ ଅହୋରାତ୍ର ଧାରଣା । ଧାରଣାରେ ବସିଛନ୍ତି କମ୍ପାନୀରୁ ଛଟେଇ ହୋଇଥିବା ଦୁଇ ଶ୍ରମିକ । କମ୍ପାନୀ ନିର୍ମାଣ ପାଇଁ ଜମି ଦେଇଛନ୍ତି ଶ୍ରମିକ, ନିଜର ଭିଟାମାଟି ହରାଇଛନ୍ତି , ହେଲେ କମ୍ପାନୀ ଅଗ୍ରଗତି ହେବାପରେ ଚାକିରିରୁ ସେମାନଙ୍କୁ ଛଟେଇ କରିଛି କଣ୍ଟ୍ରାକ୍ଟର l ଏନେଇ ଚାକିରି ଯିବାପରେ ନିଜର ଜୀବିକା ଓ ପେଟ ପାଟଣା ପାଇଁ କମ୍ପାନୀ ସମ୍ମୁଖରେ ପିଲାଛୁଆ ଧରି ଶାନ୍ତିପୂର୍ଣ ଭାବରେ ଧାରଣାରେ ବସିଛନ୍ତି ଶ୍ରମିକ ।
ହେଲେ କମ୍ପାନିର ସୁରକ୍ଷା କର୍ମୀ ଓ ଅଧିକାରୀମାନେ କମ୍ପାନୀ ଗେଟ୍ ସମ୍ମୁଖରୁ ଉଠିଯିବାକୁ ଧମକ ଦେଇଛନ୍ତି । ଗତ ୫ ବର୍ଷ ଧରି ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀ ଅଧିନରେ କାର୍ଯ୍ୟ କରୁଥିବା ମା ଇଞ୍ଜିନିୟରିଂ ରେ କମ୍ପାନୀ ପାଇଁ ଜମି ହରାଇଥିବା ୫୦ରୁ ଊର୍ଦ୍ଧ୍ବ ଶ୍ରମିକ କାର୍ଯ୍ୟ କରୁଛନ୍ତି । ହେଲେ କମ୍ପାନୀ ନିକଟସ୍ଥ ନୂଆଗଡ ଗ୍ରାମର ଦୁଇଜଣ ଶ୍ରମିକ ନିଜର ଦରମା ବୃଦ୍ଧି, ଇପିଏଫ୍, ଇଏସ୍ଆଇ ଭଳି ବିଭିନ୍ନ ଦାବିକୁ ନେଇ କଣ୍ଟ୍ରାକ୍ଟରକୁ ବାରମ୍ବାର ନିଜର ଦାବି କରିଥିଲେ। ତେଣୁ କଣ୍ଟ୍ରାକ୍ଟର ଚାକିରିରୁ ଦୁଇ ଶ୍ରମିକଙ୍କୁ ଛଟେଇ କରିଛି । ତେବେ ଏହି ଛଟେଇ କମ୍ପାନୀ ନିର୍ଦ୍ଦେଶରେ କରାଯାଇଛି ବୋଲି ଛଟେଇ ହୋଇଥିବା ଦୁଇ ଶ୍ରମିକ ଅଭିଯୋଗ ଆଣିଛନ୍ତି ।